ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୦ ଡିସେମ୍ବର ୨୦୨୩
ମାର୍ଗଶିର ମାସ ଅନ୍ତେ ପୁଷ ଆସିଥାଏ
ଓଡ଼ିଆଣୀ ବୋହୂ ଲକ୍ଷ୍ମୀ ବାପଘର ଯାଏ
ଧନୁ ସଂକ୍ରାନ୍ତିର ଦିନ
ପହିଲିଭୋଗକୁ ମାତା କରନ୍ତି ରନ୍ଧନ ।
ବାତ୍ସଲ୍ୟ ପ୍ରେମ ବାତୁଳୀ ମା ଯଶୋଦା ବାଇ
ପୁତ୍ର ପ୍ରେମେ ରାତ୍ରୁ ଉଠି ରନ୍ଧନ କରଇ
ରାମକୃଷ୍ଣ ବେନି ଭାଇ
କାଉ ନରାବୁ ଖାଇବେ ସୂର୍ଯ୍ୟ ଉଇଁ ନାହିଁ ।
ରାତ୍ର ଦୁଇ ଘଡି ଥାଇ ଯଶୋଦା ଉଠନ୍ତି
ରୋଷହୋମ କରି ପିଠା ପ୍ରସ୍ତୁତ କରନ୍ତି
ମାତୃ ପ୍ରେମେ ଭରିଦ୍ୟନ୍ତି
ଗହମ ବିରି ଚୁନାକୁ ଘୃତପାକେ ଯନ୍ତି ।
ବଡଝିଲି, ବଡବଡା, ଦରସୁଆବଡି
ଦରସୁଆଝିଲି ସହ ନଳି, ଗଜା, ବଡି
ସାନ ଆମାଲୁ, କାକେରୀ
ଖାଇ ଦୁଇ ଭାଇ ହସୁଥାନ୍ତି ଥିରିଥିରି ।
କାକେରା, ଆରିସା ସାଥେ ମୁଗେଇ, ଏଣ୍ଡୁରି
ଲଡୁ, ମଣ୍ଡା, ଚୁଆପୁଡା, କଣ୍ଟେଇ ଆହୁରି
ଆହା ସେ ଖଇରଚୂଳ
ପୁଷ ମାସେ ନିତି ଭୋଗ ତୋ ବଡଦେଉଳ ।
ଧନୁ ସଙ୍କରାନ୍ତିଠାରୁ ମକର ସଂକ୍ରାନ୍ତି
ପହିଲିଭୋଗ ଲାଗଇ ଶ୍ରୀମନ୍ଦିରେ ନିତି
ବାତ୍ସଲ୍ୟ ପ୍ରେମ ମମତା
ପହିଲିଭୋଗ ସୁଚାଏ ଶ୍ରେଷ୍ଠ ପିତାମାତା ।