ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୯ ଅଗଷ୍ଟ ୨୦୨୩
କ୍ଷୀଣ ତା ଶରୀର
ଶକତି ଅପାର
କେହି ନହୋଇବେ ସରି,
ନିଜ ଶରୀରଠୁ
ଶହେ ଗୁଣ ଭାର
ବୋହି ଚାଲେ ସିଂହ ପରି ।
ଖରା ବରଷାକୁ
ଖାତିରି ନକରି
କର୍ମେ ମଗ୍ନ ରାତ୍ର ଦିନ,
ପଢିନି ସେ ଗୀତା
କର୍ମଯୋଗ କଥା
କାହୁଁ ଜାଣିଲା ଏ ଜ୍ଞାନ ।
ଯିଏ ସେ ଶୁଣନ୍ତି
ଯିଏ ସେ ଜାଣନ୍ତି
ଯିଏ ସେ ପଢନ୍ତି ଗୀତା,
କର୍ମ ଯୋଗ କଥା
କରୁ ବା ନକରୁ
ମଥାରେ ମାରନ୍ତି ଚିତା ।
ତିଲକ ଚିତାରେ
ଚିତ୍ତ ନବଦଳେ
ଦେଖ ପିମ୍ପୁଡିର ଗୁଣ,
ଚିତା ନ ମାରିକି
ଶହେ ଗୁଣ ଭାର
ବୋହେ ତନୁ ହେଉ କ୍ଷୀଣ ।