ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୫ ମାର୍ଚ୍ଚ ୨୦୨୪
ହୃତ ଗୌରବ ଅତୀତକୁ ଯଦି
ମନ୍ଥନ କରେ ଆଜି ।
ମନେ ପଡ଼ିଯାଏ କଳିଙ୍ଗ ମାଟିରେ
ବିଜୁବାବୁ କୀର୍ତ୍ତିରାଜି ।।
ଏ ମାଟି, ଏ ଜାତି କରିଥିଲା ତାଙ୍କୁ
ହୃଦୟରୁ ଆନ୍ଦୋଳିତ ।
ନିଶ୍ଵ ଅସହାୟ ଗରିବଙ୍କ ପାଇଁ
ସହି ଘାତ ପ୍ରତିଘାତ ।।
ମନେ ପଡିଗଲା ସାଧବ ପୁଅଙ୍କ
ନୌବାଣିଜ୍ୟ ପୂର୍ବସ୍ମୃତି ।
ଡକାଇ ଦେଖାଇ ନେହେରୁଙ୍କୁ ଥରେ
ବୁଝାଇଲେ ଗୋଟି ଗୋଟି ।।
ବିଶ୍ଵ ବିଖ୍ୟାତ ଏ ପାରାଦୀପ ଆଜି
ବନ୍ଦର ନାମେ ଖ୍ୟାତି ।
ଅର୍ଜନ କରିଛି ବିଜୁବାବୁ ପାଇଁ
ଏହା କେ ନଜାଣି ଅଛି ।।
ଦୈତାରି ଠାରୁ ପାରାଦୀପ ଯାଏଁ
ଗଢିଲ ସଡ଼କ ପଥ ।
ତେଣୁ ଏ ଜାତି ଝୁରେ ଆପଣଙ୍କୁ
କରେ ଶତ ପ୍ରଣିପାତ ।।
ରାଷ୍ଟ୍ର ବିଭାଜନ ସେ ବେଳର କଥା
ଡାକାଟୋ ବିମାନ ନେଇ ।
ଦଙ୍ଗା ସମୟରେ ବୋହି ଆଣିଥିଲେ
କରାଚି ଲାହୋର ଯାଇ ।।
ହିନ୍ଦୁ ଭାଇ ମାନେ ଗଦ୍ ଗଦ୍ ହୋଇ
ବୁହାଇଲେ ଅଶ୍ରୁ ନୀର ।
ଧନ୍ୟ ତୁମେ ଆମ କଳିଙ୍ଗର ପୁଅ
ଉତ୍କଳର ମହାବୀର ।।
କାଳର ଗର୍ଭରେ ଲୀନ ହୋଇଗଲ
ଝୁରେ ଆଜି ଦେଶବାସୀ ।
କିଏ ଆସି ଆଉ ସାହସ ଭରିବ
ଶତ୍ରୁକୁ ନାଲି ଆଖି ।।
ନିର୍ଭୀକ ସାହସୀ ହୃଦୟରୁ ଦମ୍ଭ
ଆପଣଙ୍କ ପରି କେହି ।
ଶୁଣୁଛନ୍ତି ସବୁ ଦେଖିଥିଲୁ ଆମେ
ବର୍ଣ୍ଣନା କରି ନୁହଁଇ ।।
ବିଜୟାନନ୍ଦ ଓ ଶରତ କରଙ୍କ
ଯୋଡ଼ିଥିଲା ଅଦ୍ଭୁତ ।
ସଭା ସମିତିକୁ ବିଜୁ ଯାଇଥିଲେ
ନିଶ୍ଚୟ ଥିବେ ଶରତ ।।
ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲ
ଗରିବର ଅନ୍ନଦାତା ।
କେତେ ଯେ ଯୋଜନା ଗଢିଲେ ଆପଣ
ଚର୍ଚ୍ଚାରେ ଆଜି ଜନତା ।।
ଆପଣଙ୍କ ପୁଣ୍ୟ ଜନ୍ମ ତିଥିରେ
କରେ ଭକ୍ତି ପ୍ରଣିପାତ ।
ରହିଛି ରହିବ ଆପଣଙ୍କ ଯଶ
ସଦା ହୋଇ ପ୍ରଜ୍ଜ୍ଵଳିତ ।।