ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୬ ନଭେମ୍ବର ୨୦୨୪
ପ୍ରେମ ଏକ ପ୍ରୀତିବୋଳା ବାସ୍ନା ଭରା ନଈ
ତାହାର ଫେନିଳ ଜଳ କେବେ ଶୁଖେ ନାହିଁ
କାଶତଣ୍ଡୀ ଫୁଲରେ ତା’ ଦେହକୁ ସଜେଇ
ଅଭିମାନ ଭରା ତା’ର ମୁହଁକୁ ଫୁଲେଇ
ପ୍ରୀତିର ମହକ ସାରା ଦିଗନ୍ତେ ଖେଳାଇ
ସାଗର ସଂଗମ ପାଇଁ ରହିଥାଏ ଚାହିଁ ||୧||
ପ୍ରେମ ଏକ ମନଚୋରା ବେଗଗାମୀ ନଈ
ସେ ନଈର ଖର ସୁଅ ମନ ନିଏ ମୋହି
ଉଛୁଳି ଉଠଇ ମନ ଅଣାୟତ୍ତ ହୋଇ
ଚହଲା ମନଟା ଆଉ ଥୟ ଧରେ ନାହିଁ
ମନଟି ଉଚ୍ଚାଟ ହୋଇ ଆପେ ଯାଏ ବହି
ସୁନେଲି ସ୍ୱପ୍ନରେ ଭିଜି ମନ ହୁଏ ବାଇ ||୨||
ପ୍ରେମ ଏକ ମଧୁଝରା ମଖମଲି ନଈ
ସେ ମହୁର ମଧୁରତା କଳି ହୁଏ ନାହିଁ
କୋମଳ ସ୍ପର୍ଶ ତା’ର ଦେହ ଦିଏ ଥରାଇ
ମହ ମହ ବାସ୍ନାରେ ସେ ମନକୁ ଜଗାଇ
ସାତୋଟି ରଂଗରେ ଦିଏ ନିଜକୁ ସଜାଇ
ସେ ରଂଗକୁ କେହି କେବେ ଦେଖିପାରେ ନାହିଁ ||୩||