ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୫ ମଇ ୨୦୨୩
ମୁଁ ତୁମ ସମୁଦ୍ର ହାଓ୍ଵାରେ ଫେରାର
ଗୋଟେ ଖବର ।
ବହୁଦିନୁ ମୁଁ ତୁମ ପାଖେ ଅଛି
ପୁଣି ନାହିଁ
କେଉଁ ତୃଷିତ ବିଜନତା
ଅସ୍ତିତ୍ବର ଲଢ଼େଇରେ ମତେ
କଲବଲ୍ ଗୋଟେ ବିଶ୍ଵାସରେ ବାନ୍ଧିଦେଇଛି, ଜାଣେନା
ଶୁଷୁରି ହଜେଇଥିବା ମୁଁ ଗୋଟେ ପିଲା ମେଳାରେ
ଚୁପ୍ ଚାପ୍ ହେଇଚି ଠିଆ, ଖୋଜୁଚି ମୋ ଆଖିର ଠିକଣା
କେଉଁ ସ୍ଵପ୍ନ ମତେ ସ୍ଵପ୍ନାହତ କରିଚି ଗଲାଦିନ ସବୁ!
କେଉଁ ଅଜ୍ଞାତବାସ ମୋ ସହରର
ନିଆଁ ନେଇ
ଜଳେଇ ଦେଇଚି ଜଙ୍ଗଲ, କହିପାରିବି ନାହିଁ
ମତେ ଗାଇବାକୁ ପଡିଚି ଚୁଚୁନ୍ଦ୍ରା ଗିଳିଥିବା ସାପର ଗୀତ
ଚାଲି ଆସିଥିବା ରାସ୍ତା ସାରା ପ୍ରତି ପ୍ରହର
ଜାଣେନା, ସମ୍ବୋଧି ଆସିଚି
କେଉଁ ମହାସମୟକୁ
ମୁଁ ଖାଲି ଦେଖିଚି ଦୃଶ୍ୟ
ପତ୍ର କଅଁଳିବା ଓ ପତ୍ରଝଡ଼ାର
ମୋର ସକଳ ଅହଙ୍କାର ଫେରାର୍ ତୁମ ସମୁଦ୍ର ହାଓ୍ଵାରେ
ନିଖୋଜ ବିଶ୍ଵାସର କିଶୋରୀ ନଦୀ
କେଉଁ ମୃତ୍ୟୁକୁ ମୁଁ ଲେଖିପାରିବି ଏବେ ଚିଠି
ଅବା କେଉଁ ଜନ୍ମ ମତେ ବାନ୍ଧିନବ
ନର୍କ ବା ସ୍ଵର୍ଗରେ !
ପଚାରି ପାରୁନି, ଉତ୍ତର ଲାଗି
କାନ୍ଥଟେ ନାହିଁ ବି ସାମ୍ନାରେ
କେଉଁ ଠିକଣାରେ ନିରୁଦ୍ଦିଷ୍ଟ ମୁଁ
ଏବେ ତୁମ ସମୁଦ୍ର ହାଓ୍ଵା ଜାଣେନି
କେଉଁ ବାଲିରେ ପୋତିହେବାକୁ
ଅଙ୍ଗୀକୃତ ପଦାବଳୀ ଛାତିରେ ଲେଖିଚି
ନିର୍ବିକଳ୍ପ ମନ୍ତ୍ରଟିଏ ସତେ ଅବା ମୁଁ
ଉଚ୍ଚାରିତ ହେବି ବୋଲି
ସମୟକୁ ସଲାମ୍ କରୁଚି ।।