ପ୍ରମୋଦ କୁମାର ଦାଶ, କଟକ, ୧୪ ଡିସେମ୍ବର ୨୦୨୩
ବ୍ରହ୍ମାଙ୍କୁ ମାଗିବି ବରଦାନ ଏକ
ସୃଷ୍ଟିକୁ ସଜାଡ଼ିବାକୁ,
ବିଷ୍ଣୁଙ୍କୁ ବିନତି ଏ ଧରାପୃଷ୍ଠକୁ
ଆଉ ଥରେ ଆସିବାକୁ ।
ଅଧର୍ମର ତାପ ଧାପରେ ସମାଜ
ହେଲାଣି ପରା ଅତିଷ୍ଠ,
ଅଧର୍ମ ବିନାଶି ଧର୍ମ ସଂସ୍ଥାପନେ
ଲାଘବ କରିବେ କଷ୍ଟ ।
ଶିବଙ୍କୁ ପ୍ରାର୍ଥନା କରୁଅଛି ମୁହିଁ
ପାପୀ-କୋପୀ ଦଣ୍ଡିବାକୁ,
ମାତା ପାର୍ବତୀଙ୍କୁ କରୁଛି ମିନତି
ଅସୁର ବିନାଶିବାକୁ !
ଦୀନ-ଜନ ମୁଖେ ଆହାର ଦେବାକୁ
ମା’ ଲକ୍ଷ୍ମୀଙ୍କୁ ନିବେଦନ,
ଦେବୀ ସରସ୍ବତୀ ବିଦ୍ୟା-ବୁଦ୍ଧି ଦେଇ
ଜନେ କରନ୍ତୁ ବିଦ୍ୱାନ ।
ଗଣପତିଙ୍କୁ ମୁଁ ପ୍ରାର୍ଥନା କରୁଛି
ଖୋଲନ୍ତୁ ଜ୍ଞାନ ଭଣ୍ଡାର,
ଯେଉଁ ଜ୍ଞାନ ଲଭି ମୋ’ ଭାଇ ଭଉଣୀ
କରନ୍ତୁ ଦେଶ ସଂସ୍କାର ।