ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୬ ଜୁଲାଇ ୨୦୨୩
ମୋର ଚାଲିବାର କିଛି
ହିସାବ ନାହିଁ
କେବେ ଚାଲୁଥାଏ ସିଧା ରାସ୍ତାରେ
ତ କେବେ ବଙ୍କା ରାସ୍ତାରେ
ପୁଣି କେବେ ହଜି ଯାଉଥାଏ
ଅନ୍ଧ ମୁହାଣିରେ
ସାରା ଜୀବନ ବିତିଗଲା
ଶୀତଳ ଯୁଦ୍ଧରେ
ମୃତ ପକ୍ଷୀ ଗଣିବାରେ
ଚିହ୍ନା ଅଚିହ୍ନା ସହରରେ
ନିଜ ସହ ସହବାସରେ
ଏକାକୀ ଆକାଶରେ
ମତେ ଚିରକାଳ କରୁଥାନ୍ତି କଲବଲ
ଛିଣ୍ଡା ଅଛିଣ୍ଡା ସ୍ମୃତିମାନେ
ମୃତ୍ୟୁ, ମୋର ଅନ୍ତିମ ପ୍ରେମିକା
ଓ ମୁଁ ସହୁଥାଏ ସମୟର ସକଳ ଔଦ୍ଧତ୍ଯ
ନିରବରେ
ଏମିତି ବିତେଇଦେଲି
ହିସାବହୀନ, ବନ୍ଧୁହୀନ ଗୋଟେ ଜୀବନ
ପଚାରି ପାରିଲି ନାହିଁ ସକଳ ଅତ୍ୟାଚାରର କାହାଣୀ
କାହାକୁ ବି, କେବେ ବି
କାହା ଦୁଆରରେ, ଝରକାରେ !