• About
  • Contact
Wednesday, April 22, 2026
Wednesday, April 22, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସ୍ମୃତି: ମନୋଜ ଦାସ (ଭାଗ ୨୮)

ସ୍ମୃତି: ମନୋଜ ଦାସ (ଭାଗ ୨୮)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୬ ମଇ ୨୦୨୫

ମନୋଜ ଦାସଙ୍କ ସହ ଦେଖାହେଲା ୧୯୯୦ରେ। ମଝିରେ ମଝିରେ ତାଙ୍କ ବିଷୟରେ ଚଉଧୁରୀ ହେମକାନ୍ତ ମିଶ୍ରଙ୍କ ସହ କଥା ହେଇଛି। ସେ ଥିଲେ ମନୋଜ ଦାସଙ୍କ ପ୍ରିୟ ବଂଧୁ ଓ ସହପାଠୀ।

୧୯୮୪ରୁ ୧୯୮୭ ଓଡ଼ିଶାରେ ସ୍କୁଲ ଶିକ୍ଷାରେ, ୮୭ ରୁ ୯୦ ଏନ୍.ସି.ଇ.ଆର୍.ଟି.ରେ ବିତେଇବା ପରେ ୧୯୯୦ରେ ମୁଁ ଯୋଗଦେଲି ନ୍ୟାସ୍‌ନାଲ୍ ବୁକ ଟ୍ରଷ୍ଟ୍ରରେ। ମନୋଜ ଦାସଙ୍କର କେତୋଟି ବହି ସେତେବେଳକୁ ସେଠୁ ପ୍ରକାଶିତ ହୋଇଥାଏ।

ନ୍ୟାସ୍‌ନାଲ୍ ବୁକ ଟ୍ରଷ୍ଟରେ ମୋ ଆଗରୁ ଓଡ଼ିଆ ସଂପାଦକ ଥିଲେ ବାଳକୃଷ୍ଣ ପଣ୍ଡା। ଥିଲେ ତ ଅତ୍ୟନ୍ତ ଭଲ ଲୋକ, ମାତ୍ର ସାହିତ୍ୟ-ବହିପତ୍ର ସହ ତାଙ୍କର କିଛି ସଂପର୍କ ନଥିଲା। ସେ ଥିଲେ ଓଡ଼ିଶା ବୁକ ଷ୍ଟୋର୍‌ର ମାଲିକ ଗୋବିନ୍ଦ ଚରଣ ପାତ୍ରଙ୍କ ଜୋଇଁ। ସେଇ ପରିଚୟରେ ବୋଧେ ସେ ପ୍ରକାଶନ ଜଗତକୁ ଚାଲିଆସିଥିଲେ।

ମୁଁ ଯୋଗଦେଲା ବେଳକୁ ଟ୍ରଷ୍ଟର ଓଡ଼ିଆ ବହିସଂଖ୍ୟା ୫୦ ଭିତରେ। ଅଧିକାଂଶ ଅନୁବାଦ। ପରାମର୍ଶଦାତା ମଣ୍ଡଳୀର ୧୩ବର୍ଷ ମିଟିଂ ହୋଇନଥାଏ। ମୁଁ ପ୍ରଥମେ ତାହାର ପୁନର୍ଗଠନ କଲି। ମନୋଜ ଦାସ ହେଲେ ପ୍ରମୁଖ ସଦସ୍ୟ।

ଆମର ପ୍ରଥମ ବୈଠକ ଓଡ଼ିଶା ରାଜ୍ୟ ଅତିଥି ଭବନରେ ହେଲା। ଟ୍ରଷ୍ଟର ଅଧ୍ୟକ୍ଷ ସେତେବେଳେ ଥାଆନ୍ତି ଆନନ୍ଦ ସ୍ୱରୂପ। ମିଟିଂ ଥାଏ ସକାଳ ଦଶଟାରେ, ନଅଟା ବେଳୁ ଆସି ମୋ ରୁମ୍‌ରେ ପହଂଚିଗଲେ ମନୋଜ ଦାସ। ସେଇ ଆମର ପ୍ରଥମ ସାମ୍ନାସାମ୍ନି ଆଳାପ। ମୋ ପାଇଁ ସେ ଅନୁ ଅନୁଭୂତି ଅଭୁଲା।ମନୋଜ ବାବୁ ଭୁବନେଶ୍ଵର ଆସିଲେ ତାଙ୍କ ବଡ଼ଭାଇ ପ୍ରଫେସର ମନ୍ମଥ ଦାସଙ୍କର ଘରେ ହିଁ ରହୁଥୁଲେ। ସେ ସାଙ୍ଗରେ ଆଣିଥାନ୍ତି ଶ୍ରୀ ଅରବିନ୍ଦ ଆଶ୍ରମର ଧୂପକାଠି, ପତ୍ରିକା ଓ ଶ୍ରୀମାଙ୍କ ଫଟୋ। ତା ପରଠୁ ଯେତେଥର ତାଙ୍କ ସହ ଦେଖାହୋଇଛି, ଶ୍ରୀ ଅରବିନ୍ଦ ଆଶ୍ରମର ଧୂପକାଠି ଓ ତାଙ୍କ ବହି ମୋତେ ମିଳିଛି।

ପତ୍ନୀ ଶୈଳବାଳା ଓ ପିଲାମାନେ ପୁରୀରେ ରହୁଥିଲେ। ଶୈଳବାଳା ବି ଥିଲେ ମୋ ପରି ମନୋଜ ଦାସଙ୍କର ବିମୁଗ୍ଧ ପାଠିକା।

ସେହି ବୈଠକରେ ଅନେକ ନୂଆ ବହି, ବିଶେଷ କରି ମୌଳିକ ବହି ଛପିବାର ସିଦ୍ଧାନ୍ତ ନିଆଗଲା। ମନୋଜ ବାବୁ ତ ନିଜ ବହି ଚାହୁଁ ନଥିଲେ, ହେଲେ ତାଙ୍କଠୁ ଅଧ୍ବକ ଲୋକପ୍ରିୟ ଲେଖକ ବି ଆମ ପାଖରେ ନଥିଲେ। ସେ ସଚ୍ଚିଦାନନ୍ଦ ରାଉତରାୟଙ୍କ ସମଗ୍ର ଗଳ୍ପ ଗୋଟିଏ ବହିରେ ହେଉ ବୋଲି ଚାହୁଁଥିଲେ। ସମସ୍ତଙ୍କର ବାଧ୍ୟବାଧକତାରେ ନିଜର ଗଳ୍ପ ବହିଟିଏ ଦେବାକୁ ବି ରାଜି ହେଲେ। ଦୁଇ ବହିର ସଂକଳନ କାମ ମୁଁ କରିବି ବୋଲି ଠିକ୍ ହେଲା। ସେତେବେଳେ ସଂକଳକ ଭାବେ ଏନ୍.ବି.ଟି.ର ସଂପାଦକମାନ‌ଙ୍କ ନାମ ଯାଉନଥିଲା। ସାହିତ୍ୟ ଏକାଡ଼େମୀ ଓ ଏନ୍.ସି.ଇ.ଆର୍.ଟି.ରେ ପରଂପରା ଥିଲା ଅଲଗା।

ବହି ସବୁ ତାହା ଆଗରୁ ଲେଟର ପ୍ରେସ୍‌ରେ ଛପୁଥୁଲା। ୧୯୯୦ରେ ଆମର ମୁଦ୍ରଣ/ଉତ୍ପାଦନ ସହ‌ଯୋଗୀ ସୁମିତ ଭଟ୍ଟାଚାର୍ଯ୍ୟ ଓ ମୁଁ ଡି.ଟି.ପି. ପ୍ରଣାଳରେ ଆମ ବହି କିଏ ଛାପିପାରିବେ ତାହା ଜାଣିବା ଲାଗି ସାରା ଓଡ଼ିଶା ବୁଲିଥିଲୁ। ଶେଷରେ ଭୁବନେଶ୍ୱରରେ କୋଣାର୍କ ଡାଟା ପ୍ରୋସେସିଂ ସଂସ୍ଥାକୁ ଆମେ କାମ କରିବା ଲାଗି ବାଛିଲୁ। ସେତେବେଳେ ସାରା ଓଡ଼ିଶାରେ ଡି.ଟି.ପି. ମାତ୍ର ପାଂଚୋଟି ଥିଲା।

ଜୁନ୍ ୧୯୯୧ ଶେଷ ଆଡ଼କୁ ଦୁଇଟିଯାକ ପାଣ୍ଡୁଲିପି ତିଆରି ହୋଇଗଲା। ମନୋଜ ବାବୁଙ୍କ କ୍ଷେତ୍ରରେ ସଂକଳନ କରିବା ମୋ ଲାଗି ସହଜ ଥିଲା। ସେ ନିଯେ ମୁଁ ଯେଉଁ ଗଳ୍ପଗୁଡ଼ିକ ତାଲିକା କରିଦେଲି, ସେ ସବୁର ଫଟୋ କପି ପଠାଇଦେଲେ। ସଚ୍ଚିଦାନନ୍ଦ ରାଉତରାୟଙ୍କ ଗଳ୍ପ ସଂକଳନ କରିବା ସହଜ ନଥିଲାI ସେ ଦିଗରେ ମତେ ସାହାଯ୍ୟ କରିଥିଲେ ତାଙ୍କ ପ୍ରକାଶକ ଗ୍ରନ୍ଥମନ୍ଦିର ଅଭିରାମ ମହାପାତ୍ର।

ପାଣ୍ଡୁଲିପି ଦୁଇଟି ସଂକଳିତ ହେଲା ପରେ ଭୂମିକା ଲେଖାଯିବା କଥା। ମନୋଜ ବାବୁଙ୍କ ସଂକଳନର ଭୂମିକା ଲେଖିଲେ ତାଙ୍କ ପ୍ରିୟ ବଂଧୁ ଚଉଧୁରୀ ହେମକାନ୍ତ ମିଶ୍ର, ସଚ୍ଚିଦାନ ନନ୍ଦ ରାଉତରାୟଙ୍କ ପୁସ୍ତକର ଭୂମିକା ଲେଖିଲେ କିଶୋରୀ ଚରଣ ଦାସ। ସେପ୍ଟେମ୍ବର ମାସରେ ସୁମିତ ଭଟ୍ଟାଚାର୍ଯ୍ୟ ଓ ମୁଁ ଦୁଇଟିଯାକ ବହି ଟାଇପ୍ ସେଟିଂ ପାଇଁ କୋଣାର୍କ ଡାଟା ପ୍ରୋସେସିଂକୁ ଦେଲୁ। ରାଜ୍ୟ ଅତିଥି ଭବନ ସେଠୁ ବେଶୀ ଦୂର ନଥିଲା। କୋଣାର୍କ ଡାଟା ପ୍ରୋସେସିଂ ଥାଏ ସେତେବେଳେ ନୂଆପଲ୍ଲୀରେ କଲ୍ୟାଣ ମଣ୍ଡପ ପାଖରେ। ଆମେ ସେଇଠି ରହି ପ୍ରଥମ କିଛି ପୃଷ୍ଠାର କାମ ଆରମ୍ଭ ହେଲା ପରେ ମୁଦ୍ରକଙ୍କୁ ମାସେ ସମୟ ଦେଇ ଦିଲ୍ଲୀ ଫେରିଗଲୁ। କଥାହେଲା, ପୂଜା ପରେ ଆସି ବହି ଦୁଇଟିର କାମ କରିନେବୁ।

ଭୁବନେଶ୍ଵର ଓ କଟକରେ ୧୯୮୦ ଓ ୧୯୮୪ରେ ଏନ୍.ବି.ଟି. ତରଫରୁ ପୁସ୍ତକ ମେଳା ହୋଇଥିଲା। ଆମ ଓଡ଼ିଆ ପରାମର୍ଶଦାତା ସମିତି ବୈଠକରେ ୧୯୯୨ରେ ଗୋଟିଏ ଜାତୀୟ ସ୍ତରର ପୁସ୍ତକ ଉତ୍ସବ ଭୁବନେଶ୍ୱରରେ କରିବାକୁ ସ୍ଥିର କରାଗଲା। ପୁସ୍ତକ ଉତ୍ସବଟି ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ସଂସ୍କୃତି ମନ୍ତ୍ରୀ ଶରତ କୁମାର କର ପ୍ରସ୍ତାବ ଦେଲେ। ବିଜୁ ପଟ୍ଟନାୟକଙ୍କ ସହ ମଂଚରେ ବିଶିଷ୍ଟ ଲେଖକ ଭାବେ ମନୋଜ ଦାସ ଉପସ୍ଥିତ ହେବାକୁ ସମସ୍ତେ ପ୍ରସ୍ତାବ ଦେଲେ। ଏନ୍.ବି.ଟି.ର ତତ୍କାଳୀନ ନିର୍ଦ୍ଦେଶକ ଅରବିନ୍ଦ କୁମାର ଚାହୁଁଥୁଲେ ଏହି ପୁସ୍ତକ ମେଳାର ଉଦ୍‌ଘାଟନ ଉତ୍ସବରେ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ମଶାଣୀର ଫୁଲ’ ଓ ମନୋଜ ଦାସଙ୍କ ବହି ଦୁଇଟି ଉନ୍ମୋଚିତ ହେଉ।

ଦୁଇଟି ବହିର ଟାଇପ୍ ସେଟିଂ କାମ ସାରିବାକୁ ୧୯୯୧ ପୂଜା ପରେ ସୁମିତ ଓ ମୁଁ ଭୁବନେଶ୍ବର ଆସିଲୁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

What You Call Right
Literature

What You Call Right

by Sudipta Mishra
April 18, 2026

Sudipta Mishra, Puri, 18 April 2026 You call it right, I may call it wrong. The same shade appears black...

Read more
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.