ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୨ ଜାନୁୟାରୀ ୨୦୨୩
ସ୍ଵପ୍ନଟିଏ ତିଆରି ହୋଇଥିଲା ଦିନେ
ଏଇ ମାଟିରେ
ମହାନନ୍ଦା, ମହାନଦୀ, ବ୍ରହ୍ମପୁତ୍ର
ଆସାମର ଚା’ ବଗିଚାରେ
ଖଟିଖିଆ ମଣିଷର ଶୁଖିଲା ଓଠରେ ।
ସ୍ଵପ୍ନଟିଏ ତିଆରି ହୋଇଥିଲା ଦିନେ
ଏ ଦେଶର ସାବରମତୀରେ ।
ଆଜି ଏଇ ପୂର୍ବାଶାରେ
କାହାର ସ୍ୱପ୍ନର ଛାଇ
ଆଜି ଏଇ ପ୍ରଭାତରେ, କାହାର ସ୍ୱପ୍ନର ସ୍ଵର
କେଉଁ ତାନ୍ତିଆଟୋପି, ଲକ୍ଷ୍ମୀବାଈ
ଚାଖିଖୁଣ୍ଟିଆର,
ଗାନ୍ଧୀ, ଗୋପବଂଧୁ, ଅରବିନ୍ଦ , ନେତାଜୀ ଓ
ବାଘାଯତୀନର !
ଆଜି ନୂଆ ଚେତନାର ଅଭିଯାତ୍ରା
ଆରମ୍ଭର ଶୁଭ ସନ୍ଧିକ୍ଷଣ
କେଉଁଠୁ ଶୁଭୁଛି ଏଇ ରାମଧୁନ୍, ମନ୍ତ୍ରପରି
ସାବରମତୀରୁ
ଅବା ଜାଲିୱାନାବାଗରୁ !
ସତ୍ୟାଗ୍ରହୀ ଜଣେ ଜଣେ ଆସୁଛନ୍ତି
ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ
ନିରବଧିକାଳ ଭିତରୁ !
କାନଡେରି ଶୁଣ,
ମନ୍ତ୍ରପରି ଶୁଭୁଛି
ସେମାନଙ୍କ ଆସିବାର ପାଦଶବ୍ଦ !
ଆଜି ବୋଧେ
ନୂଆ ଚେତନାର ଏଇ ଅଭିଯାତ୍ରା
ଆରମ୍ଭର ଶୁଭ ସନ୍ଧିକ୍ଷଣ !