• About
  • Contact
Tuesday, September 8, 2026
Tuesday, September 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

‌ତାରକ ଦା’ (ଭାଗ ୫୪)

‌ତାରକ ଦା’ (ଭାଗ ୫୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫

ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ।

ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ ହରେଇ ପୁରୀ ଚାଲିଆସିଥିଲେ। ପୁରୀ କହିଲେ ସେତେବେଳ ଷ୍ଟେସନ, ସମୁଦ୍ରକୂଳ, ମନ୍ଦିର ଓ ବସ୍‌ଷ୍ଟାଣ୍ଡ। ଏମାରମଠ ଚକଡ଼ାରେ ସଭା ହେଉଥାଏ। ପଂକ ବାବୁ ସାତଆଠ ବର୍ଷର ଟୋକାଟିଏ ଖାଲି ଦିହରେ ବୁଲୁଥିବାର ଦେଖିଲେ। ଘରକୁ ନେଲେ। ଜାମାଟିଏ ଦେଲେ। ଖାଇବାକୁ ବି ଦେଲେ। ଦୋଳମଣ୍ଡପ ସାହିରେ ତାଙ୍କ ଘର। ସେଇଠି ରହୁ ରହୁ ତାରକ ମୁଖାର୍ଜୀ ଯୁବକ ହୋଇଗଲେ। ବାହା ହେଲେ। ଘଣ୍ଟା ଦୋକାନରେ କାମ କଲେ। କୁମୁଟି ସାହିରେ ଘରଟେ ବି କଲେ।

ନନା ସେତେବେଳେ ସାମ୍ବାଦିକ। ଗଣତନ୍ତ୍ର ପରିଷଦର ସମ୍ପାଦକ, ୧୯୬୧ରେ ବିଜୁବାବୁ ଗଣତନ୍ତ୍ର ପରିଷଦକୁ ବି ସାଥିରେ ନେଲେ। ପାର୍ଟିର ପୋଷ୍ଟର ମାରୁ ମାରୁ ତାରକ ମୁଖାର୍ଜୀଙ୍କ ସହ ତାଙ୍କର ଦେଖା ହୋଇଗଲା। ନନାଙ୍କ ଠାରୁ ପନ୍ଦର ବର୍ଷ ଖଣ୍ଡେ ସାନ ହେବେ। ମାଟିମଣ୍ଡପ ସାହି ଖଟୁଆ ଗଳି ସାମ୍ନାରେ ଦୀନବଂଧୁ ରଥଙ୍କ ଘଣ୍ଟା ଦୋକାନରେ ନନା ତାଙ୍କ ହାତ ଘଣ୍ଟା ମରାମତି କରନ୍ତି। ସେଇଠି କାମ କରୁଥିଲେ ତାରକ ମୁଖାର୍ଜୀ, ଘଣ୍ଟା ମେକାନିକ।

କୁଞ୍ଜବିହାରୀ ମହାନ୍ତି ବଡ଼ଶଙ୍ଖ ପାଖେ ଯେଉଁ ବଡ଼ଜାଗାଟିଏ ଦଖଲରେ ଥିଲେ, ମଠ ସହ ତାଙ୍କର କେସ୍‌ ଚାଲିଥାଏ। ସେ କାଉନ୍‌ସିଲର ଥାଆନ୍ତି। ଜାଗାଟିକୁ ଖଣ୍ଡ ଖଣ୍ଡ କରି ବିକିବେ ବୋଲି ସେ ଆଦର୍ଶ ମିଷ୍ଟାନ୍ନ ଭଣ୍ଡାର ଚା’ ଖଟିରେ ଦିନେ ସାମ୍ବାଦିକମାନଙ୍କୁ କହିଲେ। ପ୍ରତି ପ୍ଲଟ୍‌ର ଦାମ୍‌ ୨୦୦ଟଙ୍କା। ଏ ଭିତରେ ଦୀନବଂଧୁ ରଥଙ୍କ ପାଖେ ନିୟମିତ ଘଣ୍ଟା ମରାମତି କରୁ କରୁ ନନାଙ୍କର ମାଲିକ ଓ ମେକାନିକ ଉଭୟଙ୍କ ସହ ବନ୍ଧୁତା ହୋଇଯାଇଥାଏ। ସେ ଦୀନବଂଧୁ ରଥଙ୍କୁ ୨୦୦ ଟଙ୍କା ଧାର ମାଗିଲେ। କାଗଜପତ୍ର ହେଲା। ରଥେ ନନାଙ୍କୁ ଧାର ଦେଲେ। ନନା କୁଞ୍ଜବିହାରୀ ମହାନ୍ତିଙ୍କୁ ଦେଲେ। କୁଞ୍ଜବିହାରୀ ମହାନ୍ତି ନିର୍ବାଚନରେ ହାରିଲେ। କେସ୍‌ ବି ହାରିଗଲେ।

୧୯୬୨ ମସିହାର ଏହି ଗପଟି ନନା ଓ ତାରକ ଦା’ ମତେ ବାରମ୍ବାର କହିଥିବେ। ୧୯୭୬ରେ ମୁଁ କଲେଜ ଗଲି। ୧୯୮୦ରେ ବି.ଏ. ପାଶ୍‌ କଲି। ୧୯୮୧ ରେ କଟକ ଗଲି ଓ ସେଠୁ ଫେରି କଳିଙ୍ଗ ଇଣ୍ଡଷ୍ଟିଜ୍‌ ପ୍ରେସର ମ୍ୟାନେଜର ହୋଇଗଲି। ସେଇଠି ଗୋପାଳ ମୁଦ୍ରା ଥିଲା କମ୍ପୋଜିଟର। ତାରକ ମୁଖାର୍ଜୀ ସେତେବେଳକୁ ଯୁବକମାନଙ୍କ ପ୍ରିୟ ତାରକ ଦା’। ପଣ୍ଡା ୱାଚ କୋଃ.ରେ ସେ କାମ କରୁଥାନ୍ତି। ଗୋପାଳ ମୁଦ୍ରାର ସ୍ତ୍ରୀ ପଣ୍ଡା ୱାଚ କୋଃ ମାଲିକଙ୍କ ଝିଅ। ଅନ୍ନପୂର୍ଣ୍ଣା ଥଏଟର ଗେଟ୍‌ କଡ଼ରେ ପଣ୍ଡା ୱାଚ କୋଃ। ଟାଉନ୍‌ ଥାନା କଡ଼ରେ କ୍ୟାବିନ୍‌ଟିଏ ପକାଇ ନୂଆ ଦୋକାନଟିଏ ବି କରିଥାନ୍ତି। ତାରକା ଦା’ ସେଇଠି ୱାଚ ମେକାନିକ୍‌।

ତାରକ ଦା’ ସହ ନନାଙ୍କ ବଂଧୁତା କଥା ମୁଁ ଜାଣିନଥିଲି। ନନାଙ୍କର ହଜାର ହଜାର ସାଙ୍ଗ। ନାଗଭୂଷଣ ପଟ୍ଟନାୟକଙ୍କୁଠୁ ଆରମ୍ଭ କରି ଫକୀର ସାହୁ ପର୍ଯ୍ୟନ୍ତ। ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଜେଲ୍‌ ସାଥି ଥିଲେ ମହତାବ, ବନମାଳୀ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ। ଦିନେ କଥାବାର୍ତ୍ତା ବେଳେ ତାରକ ଦା’ ମୋ ଘର କଥା ପଚାରିଲେ। ସଂଜ ହେଲେ ତାରକ ଦା’ ଦୋକାନରେ ମୋର ଓ ଗୋପାଳ ମୁଦ୍ରାର ଖଟି। ଆମେ ଅଳିଆଗଦା ସାମ୍ନା ବରା ଆଳୁଚପ୍‌ ଦୋକାନରୁ ଦଶପଇସିଆ ଆଳୁଚପ୍‌ ଟଙ୍କେ ଟଙ୍କେ ଖାଉ। କେବେ ମୁଁ ଖୁଆଏ, କେବେ ଗୋପାଳ ମୁଦ୍ରା ତ କେବେ ତାରକ ଦା’। ତା’ଠୁ ମୁଁ ଜାଣିଲି କେସ୍‌ ହାରିବା ପରେ କୁଞ୍ଜ ବିହାରୀ ମହାନ୍ତି ନନାଙ୍କୁ ଟଙ୍କା ଫେରେଇଲେନି। ୨୦୦ ଟଙ୍କା ଦୀନବଂଧୁ ରଥଙ୍କୁ ଫେରେଇବାର ଶକ୍ତି ନନାଙ୍କର ନଥିଲା। ଗଣତନ୍ତ୍ର ପରିଷଦ ସ୍ଵତନ୍ତ୍ର ପାର୍ଟି ହେଇ ସରକାର ଗଢ଼ି, ଭାଙ୍ଗି ପ୍ରଗତି ଦଳରେ ମିଶିଲା। ନନା ସ୍ୱତନ୍ତ୍ର ପାର୍ଟିର କାଗଜ “ସ୍ଵରାଜ୍ୟ” ର ଥିଲେ ଜିଲ୍ଲା ପ୍ରତିନିଧି। ମାସକୁ ଶହେଟଙ୍କା ଦରମା। ନନାଙ୍କ ଦରମା କାଗଜ ଗଲା, ସରକାର ଭାଙ୍ଗିଗଲା ପରେ ଦରମା ଦେଇପାରିଲେନି, ନନା ଚାକିରି ଛାଡ଼ିଦେଲେ।

ଦୀନବଂଧୁ ରଥ ନନା ନେଇଥିବାର ଟଙ୍କା ୨୦୦କୁ ୩୦୦ ଲେଖି କେସ୍‌ କଲେ। ନନା କେସ୍‌ରେ ହାରିଲେ। ମକଦ୍ଦମା ଖର୍ଚ୍ଚ ମିଶାଇ ୫୦୦ ଟଙ୍କା ଦେବାକୁ ଓ ନଦେଲେ ଦୁଇମାସ ଜେଲ୍‌ ଭୋଗିବାକୁ କୋର୍ଟ ଆଦେଶ ଦେଲେ।

ନନାଙ୍କ କଥା ନେଇ ତାରକ ଦା’ ଓ ଦୀନବଂଧୁ ରଥଂକ ମଧ୍ୟରେ ଝଗଡ଼ା ହେଲା। ଦାଦାଙ୍କ କହିବା କଥା, ମାସକୁ ୨୦ ଟଙ୍କା ଲେଖାଏଁ ଦେଇଥିଲେ ବର୍ଷକରେ ଟଙ୍କା ଆଦାୟ ହୋଇପାରିଥାନ୍ତା। ତୁମେ କୋର୍ଟକୁ ଗଲ କାହିଁକି ଓ ୨୦୦କୁ ୩୦୦ କଲ କାହିଁକି? ସେ ଝଗଡ଼ାରୁ ତାରକ ଦା’ ଚାକିରି ଛାଡ଼ିଦେଲେ ଓ ପଣ୍ଡା ୱାଚ କୋଃ ଚାଲିଆସିଲେ।

ତାରକ ଦା’ର କଥା ଏଇଠି ସରିଲା ନାହିଁ। ୧୯୮୪ରେ ବାହାଘର ପରେ ମୁଁ କୁମୁଟି ସାହି ରାଧା ଭବନରେ ଭଡ଼ାରେ ରହିଲି। ସେଇଠି ପୁଣି ତାରକ ଦା’ଙ୍କ ସହ ଦେଖାହେଲା। ସଂଜ ହେଲେ ସେ ଆସନ୍ତି, ଆମ ସହ ବସି ଚାହା ପିଅନ୍ତି। ସମୟ ବିତି ଚାଲିଲା। କୋରାପୁଟରେ ମୋର ଚାକିରି ହେଲା ଓ ମୁଁ ଉମରକୋଟରେ ପହଂଚିଲି। କେତେ ମାସ ପରେ ଆମେ ସେ ଘର ଛାଡ଼ି ଗୁଣ୍ଡିଚା ଘର ପାଖକୁ ଘରଭଡ଼ା ନେଇ ଚଲିଆସିଲୁ। ବୋଉ ମରିଗଲା ପରେ କିଛିଦିନ ଆମେ ଘରକୁ ଯାଇଥିଲୁ। ମୋ ଝିଅ ସେତେବେଳେ ପିଲା। ନନା ମୋ ସ୍ତ୍ରୀ ଓ ଝିଅଙ୍କୁ ଠିକ୍‌ ଭାବେ ରଖିଲେନି। ଶୈଳ ଓ ଝିଅ ଶ୍ଵଶୁରଙ୍କ ଘରକୁ ଚାଲିଆସିଲେ। ୧୯୮୭ରେ ମୁଁ ଏନ୍‌.ସି.ଆର୍‌.ଟି.ରେ ନିୟମିତ ଚାକିରି ପାଇ ଲକ୍ଷ୍ନୌ ଗଲି। ଶୈଳ ଟିକରପଡ଼ାରେ ଘର କଲା। ୧୯୮୮ରେ ପୁଅ ଜନ୍ମ ହେଲା। ୧୯୯୦ ରେ ମୁଁ ଏନ୍‌.ବି.ଟି.ରେ ଓଡ଼ିଆ ଭାଷା ସଂପାଦକ ହୋଇ ଯୋଗଦେଲି।

ହେଲେ, ତାରକ ଦା’ କୁଆଡ଼େ ଗଲା କେଜାଣି, ତାର ହିସାବ ମୁଁ ରଖିପାରିଲି ନାହିଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

Renaissance
Literature

Renaissance

by Prasanna Kkumar
September 1, 2026

Prasanna Kkumar, Hyderabad, 1st September 2026 Evolving of minutes In the tides of the times, Revival and rebirth Happens tuning...

Read more
ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

August 29, 2026
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.