ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ମଇ ୨୦୨୪
ଜଳୁଛି ଓଡ଼ିଶା ଆଜି
ସିଝୁଛି ରାଜଧାନୀ ଭୁବନେଶ୍ୱର,
ଅପଖ୍ୟାତି ମୁଣ୍ଡାଇଛି
ପୃଥିବୀର ଏହା ଏକ ଉତ୍ତପ୍ତ ସହର ।। ୧ ।।
ତାତିରୁ ନିସ୍ତାର ନାହିଁ
ପଶୁପକ୍ଷୀ ଛଟପଟ ଡ଼ହଳବିକଳ,
ଗଛ ମାନେ ଶୁଖିଯାଇ
ମୃତପ୍ରାୟ ନିରବ ନିଶ୍ଚଳ ।। ୨ ।।
ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ
ମଣିଷ ଜୀବନ ଏଠି ଅତି ଅସ୍ତବ୍ୟସ୍ତ,
ତାତିର ପ୍ରକୋପ ସହ
ପାଣିର ଅଭାବ ତାକୁ କରେ ବ୍ୟତିବ୍ୟସ୍ତ ।। ୩ ।।
ସବୁଜିମା ଧ୍ୱଂସ କରି
ଗଢ଼ିଅଛୁ ପରା ଆମେ ବିକାଶର ଦୁର୍ଗ,
ପ୍ରକୃତି କାହିଁକି ସହିବ
ଚାକଚକ୍ୟପୂର୍ଣ୍ଣ ସେହି ପ୍ରଗତିର ଗର୍ବ ।। ୪ ।।
ମହାବାତ୍ୟା, ମହାବନ୍ୟା
ଆଉ ଭୟାବହ ମହାମାରୀ ପରି,
ପ୍ରକୃତିର ତାଣ୍ଡବଲୀଳାକୁ
ଆମେ ସହଜରେ ଯାଉଛୁ ପାସୋରି ।। ୫ ।।
ବିକାଶ ପାଇଁ ଯଦି
ପ୍ରକୃତିକୁ ମନଇଚ୍ଛା କରିଦେବା କ୍ଷୟ,
ସେହି ଅବକ୍ଷୟ ସ୍ତୂପ ଉପରେ
ନିଶ୍ଚୟ ଘଟିବ ଆମର ଅଚିରେ ବିଲୟ ।। ୬ ।।
ନୈସର୍ଗିକ ସୌନ୍ଦର୍ଯ୍ୟରେ
ଭରପୁର ଥିଲା ଦିନେ ଆମରି ସହର,
ଭଲ ଜଳବାୟୁ ଲାଗି
ଦେଶରେ ରହିଥିଲା ଯଥେଷ୍ଟ ଆଦର ।। ୭ ।।