ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୪
ଜୀବନରେ ଥରେ ସାଂସଦ ହେବି
ଅମାପ କ୍ଷମତା ହାତେ ରଖିବି
ନିଜର ଦରମା ଧାର୍ଯ୍ୟ କରିବି
ରିହାତି ଭଡ଼ାରେ ଘରେ ରହିବି
ମାଗଣାରେ ରେଳ ଯାତ୍ରା କରିବି
ବିନା ଅର୍ଥେ ବିମାନରେ ଉଡ଼ିବି ||୧||
ଜୀବନରେ ଥରେ ‘ଏମ୍.ପି.’ ହେବି
କାମ କରିବାକୁ ‘ପି.ଏ.’ ପାଇବି
ନିଜ ଲୋକ ଦେଖି ‘ପି.ଏ.’ ରଖିବି
ଫୋନ୍, ପାଣି ଆଦି ସୁବିଧା ନେବି
କୋଟିପତି ହୋଇ ସେବା କରିବି
ଗରିବ ଲୋକଙ୍କ ନେତା ସାଜିବି ||୨||
ପଦ ଗଲା ପରେ ମଉଜ ନେବି
ଆଜୀବନ ରେଳ ଚଢ଼ି ବୁଲିବି
ମୁଫତ୍ ଫାଷ୍ଟକ୍ଲାସ ସ୍ୱାଦ ଚାଖିବି
ଡ଼ବଲ ପେନସନ ହାତେଇବି
ରାଜନୀତି ଚର୍ଚ୍ଚା ଜୋର କରିବି
ଅଏସେ ଜୀବନ ବିତେଇ ଦେବି ||୩||