ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୪
ତୁମେ ପରା ପ୍ରଭୁ ସର୍ବ ବିଦ୍ୟମାନ
ତୁମରି ଆଶିଷେ ହସେ ଗିରିବନ
ପଲ୍ଲବିତ ହୁଏ ଶୁଷ୍କ ମରୁଦ୍ୟାନ
କୋଇଲି ବି ଗାଏ କୁହୁ କୁହୁ ତାନ
ଧରା ପୃଷ୍ଠେ ଜୀବ ହୁଏ ଆୟୁସ୍ମାନ
ମଣିଷ ବି ଦେଖେ ସୁନେଲି ସପନ ||୧||
ତୁମେ ଅଟ ପ୍ରଭୁ ସର୍ବ ଶକ୍ତିମାନ
ତୁମରି କୋପରେ ସଂସାର ବିପନ୍ନ
ସାଗର ଅଧୀରେ ହୁଏ କମ୍ପମାନ
ବାତ୍ୟା, ବନ୍ୟା ରଚେ ତାଣ୍ଡବ, ପ୍ଲାବନ
ମଣିଷ ଜୀବନ ହୁଅଇ ଉଛନ୍ନ
ଧରା ବକ୍ଷ ହୁଏ କ୍ଲାନ୍ତ, ଅବସନ୍ନ ||୨||
ତୁମରି ରୂପରେ ଅଛି କି ଲାବଣ୍ୟ
ଯେତେ ଦେଖିଲେ ବି ବୁଝେନା ଏମନ
ତୁମରି ପ୍ରତିମା ସତତ ନୂତନ
ରୂପରେ ଝରଇ ମଧୁ ଚିରନ୍ତନ
ସେ ମଧୁକୁ ଯିଏ ଥରେ କରେ ପାନ
ଅମୃତରେ ଭରି ଯାଏ ତା’ ଜୀବନ ||୩||