ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୮ ମଇ ୨୦୨୪
ଭୋଟ ସହ ନୋଟର ଏଠି ଅତୁଟ ବନ୍ଧନ,
ପୂଜାରେ ଯେମିତି ଲୋଡ଼ା ଫୁଲ ଓ ଚନ୍ଦନ ।।
ନୋଟ ବିନା ଭୋଟରେ ବିଶେଷ ମିଳୁନି ସୁଫଳ,
ନିର୍ବାଚନ ହୋଇଛି ଯେଣୁ ଅତି ବ୍ୟୟବହୁଳ ।।
ଅର୍ଥ ବଳେ କବଳିତ ଆଜି ରାଜନୀତି,
ପ୍ରାର୍ଥୀ ଖୋଜା ପଡ଼ନ୍ତି ତେଣୁ ଧନୀ କୋଟିପତି ।।
ଜନସେବା ପାଇଁ କ୍ଷମତା ଏବେ ନିହାତି ଦର୍କାର,
ତାହା ବିନା ରାଜନୀତି ଏଠାରେ ସଂପୂର୍ଣ୍ଣ ଅସାର ।।
ତେଣୁ କ୍ଷମତା ହାସଲ ନିଶା ଦଳଙ୍କୁ ଘାରିଛି,
ଜନସେବା କଥା ଖାଲି ଆବରଣ ସାଜିଛି ।।
ପ୍ରଚାର ଶେଷରେ ଭୋଟରଙ୍କ ଟଙ୍କା ଭାଗବାଣ୍ଟ,
ଯାହାକୁ କୁହାଯାଉଛି ‘ମାଇକ୍ରୋ ମେନେଜମେଣ୍ଟ’ ।।
କେତେକ କହନ୍ତି ତାହା ‘ଅନ୍ଧାରିବିଜେ ‘ ସମୟ,
କୁଜି ନେତା ଟଙ୍କା ବାଣ୍ଟି ତୁରନ୍ତ ନିଅନ୍ତି ବିଦାୟ ।।
ଟିକେଟ ଖର୍ଦ୍ଧିଠୁଁ ଆରମ୍ଭ ହୁଏ ନିର୍ବାଚନୀ ବ୍ୟୟ,
ହିସାବ ରଖିବାକୁ ମିଳେନି ତା’ପରେ ସମୟ ।।
ପୋଷ୍ଟର, ବ୍ୟାନର ବାଦ୍ ଗଡ଼େ ପ୍ରଚାରର ଗାଡ଼ି,
ନାମାଙ୍କନରେ ଆଖିଖୋସା ଟଙ୍କା ଯାଏ ଉଡ଼ି ।।
ଭୋଟ ସହ ନୋଟର ଏମିତି ଅତୁଟ ବନ୍ଧନ,
ଦିଅଁ ବିଜେ ପାଇଁ ଯେମିତି ସୁଶୋଭିତ ବିମାନ ।।