ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୩
ପୂର୍ବଭଳି ମହାନଦୀରେ ଆଉ ପାଣିନାହିଁ । ଖରାଦିନ ଆସିଲା ମାତ୍ରେ ଜଳସ୍ତର ହ୍ରାସ ପାଇଯାଉଛି । ଯାହାକି ସମସ୍ତ ଓଡ଼ିଶା ପାଇଁ ଉଦବେଗର କଥା । ମାତ୍ର ଏହି ମହାନଦୀର ଜଳସ୍ତର ହ୍ରାସ ପାଇବା ନେଇ ସରକାର ଓ ପ୍ରଶାସନିକ ସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ତାହା ମଧ୍ୟ ଦେଖିବାକୁ ମିଳୁନାହିଁ । ବିଧାନସଭା ଅଧିବେଶନ ବେଳେ ରାଜ୍ୟର କିଛି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମନେ ପଡ଼ିଯାଏ ମହାନଦୀର କଥା । ଏନେଇ ଆରମ୍ଭ ହୁଏ ପରସ୍ପର ପ୍ରତି ଆକ୍ଷେପ ଓ ଦୋଷାରୋପର ପର୍ବ । ପୁଣି ବିଧାନସଭା ଅଧିବେଶନ ଶେଷ ହୋଇଗଲେ ଅଟକିଯାଏ ମହାନଦୀ ପ୍ରସଙ୍ଗ ।
ଅନ୍ୟ ଅଧିବେଶନ ଭଳି ଏଥର ମଧ୍ୟ ମହାନଦୀରେ ଜଳସ୍ତର ହ୍ରାସ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ସେ ଦାବୀ କରିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଗୃହରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ରଖନ୍ତୁ । ବିରୋଧୀ ଦଳ ନେତାଙ୍କ କଥାକୁ ସମର୍ଥନ କରିଛନ୍ତି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ ବି ଦାବି କରିଛନ୍ତି ମୋସନ ଆକାରରେ ଆଲୋଚନା ହେଉ ଓ ମନ୍ତ୍ରୀ ମଧ୍ୟ ଉତ୍ତର ରଖନ୍ତୁ । ଏହା ସହିତ କେନ୍ଦ୍ର ଜଳସମ୍ପଦ ବିଭାଗର ମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବୀ କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ବିଧାୟକ ।
କିଛି ଦିନ ପୂର୍ବରୁ ମଧ୍ୟ ଶାସକ ଦଳ ବିଜେଡିର ନେତାମାନେ ମହାନଦୀ ଜଳ ଆବଣ୍ଟନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଦାୟୀ କରିବାକୁ ପଛାଇନଥିଲେ । ଏପରିକି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ପ୍ରସଙ୍ଗକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ । କେବଳ ସେତିକି ନୁହେଁ ଶାସକ ଦଳର ବରିଷ୍ଠ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏନେଇ ପ୍ରଶ୍ନ ପଚାରିବା ସହ ମହାନଦୀ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ୍ ବୋଲି ପରାମର୍ଶ ଦେବାକୁ ଭୁଲି ନାହାନ୍ତି । ଚଳିତ ବିଧାନସଭା ଅଧିବେଶନରେ ଯେ, ମହାନଦୀ ପାଣି ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି ବା ଏକାଧିକ ବିଧାୟକ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛନ୍ତି ତା ନୁହେଁ ବରଂ ମହାନଦୀର ଅବସ୍ଥା ନେଇ ଅନେକଥର ବିଧାନ ସଭାରେ ଏହି ପ୍ରସଙ୍ଗ ଆଲୋଚିତ ହୋଇଛି । ଏପରିକି ଗତ ୨୦୧୭ ମସିହା ଡିସେମ୍ବର ମାସରେ ତତ୍କାଳୀନ ବାଚସ୍ପତି ପ୍ରଦୀପ ଅମାତଙ୍କ ନିର୍ଦ୍ଦେଶ ମତେ ଏକ ସର୍ବଦଳୀୟ କମିଟି ମଧ୍ୟ ଗଠନ କରାଯାଇଥିଲା । ମହାନଦୀ ଜଳ ଆବଣ୍ଟନ ବିବାଦର ସମାଧାନ ନେଇ ଜଳ ଟ୍ରିବ୍ୟୁନାଲ୍ ର ଏକ ୫ ଜଣିଆ କମିଟି ମଧ୍ୟ ଗଠନ ହୋଇଛି। ଏହାପରେ ମଧ୍ୟ ମହାନଦୀ ଜଳ ଆବଣ୍ଟନ କେବଳ ଏକ ପ୍ରସଙ୍ଗ ହୋଇ ରହିଯାଇଛି ।
ପୁଣି ଏବେ ମହାନଦୀ ଟ୍ରିବ୍ୟୁନାଲ୍ ର ସଦସ୍ୟ ମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନର ଜଳସ୍ତର ମଧ୍ୟ ଗତବର୍ଷ ଠାରୁ ପ୍ରାୟ ୩ ଫୁଟ ତଳକୁ ଖସି ଯାଇଥିବାର ସୂଚନା ରହିଛି । ମହାନଦୀର ପାଣି ଉପରେ ଚାଷକାର୍ଯ୍ୟ, ବିଦ୍ୟୁତ ଉତ୍ପାଦନ, ପିଇବା ପାଣି ପାଇଁ ଓଡ଼ିଶାବାସୀ ନିର୍ଭର କରିଆସୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ମହାନଦୀ ପାଣି ପ୍ରସଙ୍ଗ ନେଇ ରାଜ୍ୟବାସୀଙ୍କର ଆବଶ୍ୟକତା ଓ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଭୂମିକା ଓ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ମନୋଭାବ କ’ଣ ତାହା ସ୍ପଷ୍ଟ ଭାବେ ବୁଝାପଡ଼ି ଯାଉଛି । ଏହି ବିବାଦ କେବଳ ଦୁଇଟି ରାଜ୍ୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୀମିତ ନୁହେଁ, ଏଥିରେ ନିର୍ବାଚିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଭୂମିକା ମଧ୍ୟ ରହିଛି । ଦିନକୁ ଦିନ ମହାନଦୀର ଜଳସ୍ତର ହ୍ରାସ ପାଇଚାଲିଥିବା ବେଳେ ଟ୍ରିବ୍ୟୁନାଲ୍ ତରଫରୁ ମଧ୍ୟ କୌଣସି ନିଷ୍ପତ୍ତିରେ ଉପନୀତ ନହେବା ଏବେ ପରିସ୍ଥିତିକୁ ଅଧିକ ଜଟିଳ କରିସାରିଛି ।
ଏପରିସ୍ଥଳେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ, ଏହାର ନିର୍ବାଚିତ ଲୋକ ପ୍ରତିନିଧି ଓ ଓଡ଼ିଶା ସରକାରଙ୍କ ଭୂମିକା ନେଇ ଏବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ପୂର୍ବରୁ ଗଠିତ ହୋଇଥିବା ସର୍ବଦଳୀୟ କମିଟି କ’ଣ ନିଷ୍ପତ୍ତି ନେଇଛି ? କେତେ ଥର ଏହି କମିଟିର ବୈଠକ ବସିଛି ? କମିଟିର ବୈଠକରୁ କ’ଣ ଫଳ ବାହାରିଛି ? ଟ୍ରିବ୍ୟୁନାଲ କମିଟି ଏପର୍ଯ୍ୟନ୍ତ କ’ଣ ଅନୁଧ୍ୟାନ କରିଛି ? ଯଦି ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅଟକାଇ ରଖୁଛନ୍ତି ତେବେ ତାଙ୍କ ଉପରେ ଚାପ ପକାଯାଉ ନାହିଁ କାହିଁକି ? ଓଡ଼ିଶାର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଏନେଇ ରାଜ୍ୟର ଜନସାଧାରଣଙ୍କୁ ଅବଗତ କରିବା ସହ ନିର୍ଦ୍ଦିଷ୍ଟ ତଥ୍ୟ ଦେବା ଉଚିତ ନୁହେଁ କି ? ଯଦି ପଡ଼ୋଶୀ ରାଜ୍ୟ ସରକାର ଓଡ଼ିଶା ସରକାରଙ୍କର ଅନୁରୋଧକୁ ଶୁଣୁନାହାଁନ୍ତି ତେବେ ଓଡ଼ିଶାର ଶାସକ ଓ ବିରୋଧୀ ଦଳ ଉଭୟ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ ଅସୁବିଧା କେଉଁଠି ?