ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ଜୁଲାଇ ୨୦୨୬
ପ୍ରତିବର୍ଷ ପରି ଏଥର ମଧ୍ୟ ସମସ୍ତେ ଚାହିଁ ବସିଥିଲେ କୋଟି ବ୍ରହ୍ମାଣ୍ଡର ଠାକୁରଙ୍କୁ ଟିକେ ଦେଖିବା ପାଇଁ ରଥଯାତ୍ରାରେ । ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଝଲକଟିଏ ପାଇବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା। ଆଉ ଏହି ପବିତ୍ର ଦିନରେ ଯେଉଁ ଘଟଣା- ଅଘଟଣସବୁ ଘଟିଲା, ତାହା ଆପଣମାନେ ଭଲ ଭାବରେ ଅନୁଭବ କରିଥିବେ।
ପ୍ରଥମତଃ ପାଗ ପ୍ରତିକୂଳ ଥିଲା, ବର୍ଷା ହେଉଥିଲା, ତା’ ସତ୍ତ୍ୱେ ଯେଉଁ ପ୍ରକାର ପରିଚାଳନା କରାଯିବା କଥା, ତାହା କରାଯାଇ ପାରିଲା ନାହିଁ। ଏହାଠାରୁ ଦୁଃଖର ବିଷୟ ବା ପରିତାପର କଥା ଆଉ କିଛି ଥାଇ ପାରେ କି ?
ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରଥମରୁ ହିଁ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଲା। ଯେଉଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଥିଲା, ସେହି ସମୟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମାପ୍ତ ହୋଇପାରିଲା ନାହିଁ। ଫଳରେ ପହଣ୍ଡି ବିଳମ୍ବ ହେଲା। ରଥଟଣାରେ ଯେଉଁ ଅହେତୁକ ବିଳମ୍ବ ଦେଖିବାକୁ ମିଳିଲା, ତାହା ମଧ୍ୟ ଅନେକଙ୍କୁ ବିସ୍ମିତ କଲା। ସବୁଠାରୁ ଦୁଃଖଦାୟକ ଘଟଣା ଥିଲା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଣ୍ଡରେ ଟାହିଆ ନଥିଲା। ବିନା ଟାହିଆରେ କାଳିଆ ଠାକୁର ଆସିଲେ ରଥକୁ। ଏହି ଘଟଣା କ’ଣ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବନାହିଁ ?
କୋଟି କୋଟି ଜଗନ୍ନାଥ ପ୍ରେମୀ ଯେତେବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ଛୁଟି ଆସିଥିଲେ ମହାପ୍ରଭୁଙ୍କୁ ରଥ ଉପରେ ଟିକେ ଦେଖିବା ପାଇଁ, ମହାପ୍ରଭୁଙ୍କ ଦର୍ଶନ କରିବା ସହ ସାନ୍ନିଧ୍ୟ ଲାଭ କରିବା ପାଇଁ, ଯେଉଁ ସବୁ ଘଟଣାଗୁଡ଼ିକ ଘଟିଲା, ତାହା ସେମାନଙ୍କୁ ବେଶ ଆଘାତ ଦେଇଛି। କାହିଁକି ଏହିପ୍ରକାର ଅଘଟଣ ବାରମ୍ବାର ଘଟୁଛି ? ମନେଥିବ ଆପଣଙ୍କର ୨୦୨୪ର ଅଘଟଣ କଥା, ଯେତେବେଳେ ମହାପ୍ରଭୁ ବଳଭଦ୍ର ପହଣ୍ଡି ବେଳେ ଖସି ପଡ଼ିଥିଲେ। ୨୦୨୫ କଥା ମଧ୍ୟ ମନେଥିବ, ଯଦିଓ ରଥଯାତ୍ରା ଦିନ କିଛି ବଡ଼ ଅଘଟଣ ଘଟିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ କିଭଳି ଭାବେ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା। ଏସବୁ ଘଟଣା ପରେ ଲୋକମାନେ କ’ଣ ଆଶା କରିଥିବେ? ଶ୍ରଦ୍ଧାଳୁମାନେ ଆଶା କରିଥିଲେ ଏଥର ରଥଯାତ୍ରାରେ କୌଣସି ଅଘଟଣ ଘଟିବ ନାହିଁ, ସେମାନେ ମହାପ୍ରଭୁଙ୍କୁ ଭଲରେ ଦେଖିବେ ଏବଂ ଭଲରେ ଘରକୁ ଫେରିବେ। କିନ୍ତୁ ଚଳିତ ବର୍ଷର ରଥଯାତ୍ରା ଲୋକଙ୍କ ଆଶା ପୂରଣ କରିପାରିଲା ନାହିଁ ।
ଏହାସ୍ପଷ୍ଟ କରୁଛି ଯେ ଯେଉଁ ତ୍ରୁଟି ବିଚ୍ୟୁତି ୨୦୨୪ ଏବଂ ୨୦୨୫ରେ ଦେଖିବାକୁ ମିଳିଥିଲା, ତାର ପୁନରାବୃତ୍ତି ଦେଖିବାକୁ ମିଳିଛି ଏଥର । କୌଣସି ସୁଧାର ଆସି ପାରିନାହିଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ କିମ୍ବା ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ସମୀକ୍ଷା ବୈଠକ ପରେ ମଧ୍ୟ । ଏ ବାବଦରେ ଅଧିକ ଆଲୋଚନା କରିବା ପୂର୍ବରୁ, ଏଭଳି ଏକ ରଥଯାତ୍ରା ବାବଦରେ ଆପଣଙ୍କୁ ମନେ ପକାଇଦେବା ଉଚିତ ହେବ, ଯାହା ହେଉଛି ୨୦୧୯ର ରଥଯାତ୍ରା। ସେହି ରଥଯାତ୍ରାଟି ଅନେକଙ୍କ ମନରେ ଲମ୍ବା ସମୟ ପର୍ଯ୍ୟନ୍ତ ମନେ ରହିବ ।
ସେ ବର୍ଷ ରଥଯାତ୍ରା ପୂର୍ବରୁ ଭୟଙ୍କର ବାତ୍ୟା ଫନି ଆସିଥିଲା। ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତା’ ପରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଲୋକେ ଆଶଙ୍କାରେ ଥିଲେ। କିନ୍ତୁ ୨୦୧୯ ରଥଯାତ୍ରା ଯେଭଳି ଭାବେ ସମ୍ପନ୍ନ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ମହାପ୍ରଭୁଙ୍କ ମହିମା ଏବଂ ମହାପ୍ରଭୁ ନିଜେ ଚାହିଁଲେ ସେହି ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ। ସେତେବେଳେ ରଥଯାତ୍ରା ଦାୟିତ୍ୱରେ ଥିଲେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର। ମହାପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରି ଅନେକ ଉଦ୍ୟମ କରିଥିଲେ। ଠିକ୍ ସମୟରେ ନୀତିକାନ୍ତି ହେଲା, ଠିକ୍ ସମୟରେ ପହଣ୍ଡି ହେଲା, ଠିକ୍ ସମୟରେ ରଥଟଣା ଆରମ୍ଭ ହେଲା ଏବଂ ଅପରାହ୍ନ ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଗଲା। କୌଣସି ପ୍ରକାର ଅଘଟଣ ଘଟି ନଥିଲା।
ସେତେବେଳେ ପୋଲିସ ବିଭାଗର ମୁଖ୍ୟ ଅର୍ଥାତ ଡିଜି ଥିଲେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଦୁଇଜଣ ଅଫିସରଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଆଜି ବି କମ୍ ହେବ। କାରଣ ଡିଜି ଡାକ୍ତର ଆର.ପି. ଶର୍ମା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଉଭୟଙ୍କ ମନରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ଥିଲା। ମନରେ ନଥିଲା ଅହଂକାର ବା ଦମ୍ଭ ଯେ ସେମାନେ ସବୁ କିଛି ତ୍ରୁଟିଶୂନ୍ୟ ଭାବେ କରିଦେବେ। ଏ କଥା ସେମାନେ କୌଣସି ଗଣମାଧ୍ୟମରେ କହିନଥିଲେ କିମ୍ବା ଟେଲିଭିଜନ ଚ୍ୟାନେଲ ଆଗରେ ବକ୍ତବ୍ୟ ଦେଇନଥିଲେ। ଶୃଙ୍ଖଳାର ସହିତ ଚେଷ୍ଟା କରିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସ୍ୱୟଂ ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ରଥଯାତ୍ରା ସମୟରେ ବିଳମ୍ବ, ବିଭ୍ରାଟ,ଅଘଟଣ ଇଏ ନୂଆକଥା ନୁହେଁ।
ଗତ ୩୦ ବର୍ଷ ଭିତରେ ପ୍ରାୟ ୨୦ ଥର ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଣ୍ଡି ସମ୍ପନ୍ନ ହୋଇପାରି ନାହିଁ। ୨ ରୁ ୪ ଘଣ୍ଟା ବିଳମ୍ବ ହେବାର ନଜିର ରହିଛି। ସେହିପରି ଏହି ୩୦ ବର୍ଷ ସମୟ ଭିତରେ ପ୍ରାୟ ୧୮ ଥରରୁ ଅଧିକ ରଥଟଣାରେ ବିଳମ୍ବ ଘଟିଛି। କୌଣସି ନା କୌଣସି କାରଣ ଯୋଗୁଁ ନିର୍ଦ୍ଧାରିତ ସମୟରେ ରଥ ଟଣାଯାଇ ପାରିନାହିଁ। ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାରେ ବିଳମ୍ବ ହେବା ଘଟଣା ୩୦ ବର୍ଷ ଭିତରେ ୧୦ ରୁ ୧୨ ଥର ପର୍ଯ୍ୟନ୍ତ ସାମ୍ନାକୁ ଆସିଛି, ଯାହା ପ୍ରମୁଖ ଗଣମାଧ୍ୟମରେଖବର ଭାବେ ସ୍ଥାନ ବି ପାଇଛି। ଏପରିକି ଅଘଟଣ ଭିତରେ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ଖବର ସମସ୍ତଙ୍କୁ ଦୁଃଖ ଦେଇଛି । ୨୦୨୪ ମସିହାରେ ଜଣଙ୍କର, ୨୦୨୩ରେ ତିନିଜଣଙ୍କର ଜୀବନ ଯାଇଥିଲା। ୨୦୧୫ ମସିହାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା, ୨୦୧୪ରେ ଜଣଙ୍କର, ୨୦୦୮ରେ ୬ ଜଣଙ୍କର ଏବଂ ୨୦୦୬ରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୯୯୫ ମସିହାରୁ ୨୦୦୫ ମସିହା ଭିତରେ ଜଣେ କିମ୍ବା ଦୁଇଜଣ ଏଭଳି ଦୁଃଖଦ ମୃତ୍ୟୁବରଣ କରିବାର ନଜିର ରହିଛି।
କିନ୍ତୁ ଚଳିତବର୍ଷ ରଥଯାତ୍ରାରେ ଯାହା ଘଟିଲା, ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ଏବଂ ଭାବିବାକୁ ବାଧ୍ୟ କରିଛି। ସେମାନଙ୍କ ମନରେ ଅନେକ କଷ୍ଟ ଦେଖିବାକୁ ମିଳିଛି। ଆଉ ସମସ୍ତଙ୍କ ମନରେ ଏବେ ଗୋଟିଏ କଥା କ’ଣ ବିନା ବିଭ୍ରାଟ ଓ ଅଘଟଣରେ ପୁରୀରେ ରଥଯାତ୍ରା ସମ୍ଭବ ନୁହେଁ ? ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିବା, ତ୍ରୁଟିଶୂନ୍ୟ ରଥଯାତ୍ରା କରାଯିବ ବୋଲି ଗଣମାଧ୍ୟମରେ ବିବୃତି ରଖିବା ପରେ ହେଲା କ’ଣ ? ଚଳିତ ବର୍ଷ ରଥଯାତ୍ରା ଦିନ ଦୁଇଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯିବା ଘଟଣା କେବଳ ସେମାନଙ୍କ ପରିବାର ବର୍ଗଙ୍କୁ କଷ୍ଟ ଦେଇଛି ତା ନୁହେଁ, ବରଂ ଅନେକ ଲୋକ ଏଥିରେ କ୍ଷୁବ୍ଧ ଓ ମର୍ମାହତ ହୋଇଛନ୍ତି।
ସେହିଭଳି ଆଉ ଏକ ଘଟଣା ମହାପ୍ରଭୁଙ୍କ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି। ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଯେତେବେଳେ ରଥ ଉପରକୁ ପହଣ୍ଡିରେ ଝୁଲିଝୁଲି ଆସୁଥିଲେ, ସେତେବେଳେ ତାଙ୍କ ମୁଣ୍ଡ ଉପରେ “ଟାହିଆ” ନଥିଲା। ଏହି ପ୍ରକାର ଘଟଣା ବୋଧହୁଏ ନିକଟ ଅତୀତରେ କେବେ ଦେଖିବାକୁ ମିଳିନଥିଲା। ମହାପ୍ରଭୁଙ୍କ ମୁଣ୍ଡ ଉପରେ ଥିବା “ଟାହିଆ”ର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ଥରେ ଭାବନ୍ତୁ ତ ଶ୍ରୀକ୍ଷେତ୍ରକୁ ବାହାରୁ ଛୁଟି ଆସିଥିବା ଲକ୍ଷଲକ୍ଷ ଭକ୍ତ କିମ୍ବା ବାହାରେ ଥାଇ ଟେଲିଭିଜନ ଚ୍ୟାନେଲରୁ ରଥଯାତ୍ରାର ସିଧା ପ୍ରସାରଣ ଦେଖୁଥିବା ଲୋକେ ମହାପ୍ରଭୁଙ୍କ ମୁଣ୍ଡରେ ଯେତେବେଳେ “ଟାହିଆ” ନାହିଁ ବୋଲି ଦେଖିଥିବେ ସେତେବେଳେ ସେମାନଙ୍କ ମନ କେତେ କଷ୍ଟ ନହୋଇଥିବ ? ଖାଲି ସେତିକି ନୁହେଁ ନୀତିକାନ୍ତି ବିଳମ୍ବିତ ହେବା ଦ୍ୱାରା ପହଣ୍ଡି ମଧ୍ୟ ବିଳମ୍ବ ହେଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରକୁ ସଅଳ ଆସି ପାରିଲେ ନାହିଁ, ବାଟରେ ବହୁ ସମୟ ଅଟକି ରହିଲେ। ମହାପ୍ରଭୁଙ୍କୁ ଶୀଘ୍ର ଦେଖିବା ପାଇଁ ଆତୁର ଭକ୍ତ ଏହି ବିଳମ୍ବକୁ ସହିଥାନ୍ତେ କିପରି ? ଯେଉଁମାନଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଥିଲା ମହାପ୍ରଭୁଙ୍କୁ ଶୀଘ୍ର ଦର୍ଶନ କରିବା ପାଇଁ, ସେମାନେ ମଧ୍ୟ ବହୁତ କଷ୍ଟ ପାଇଲେ।
ଶେଷ ଘଟଣାଟି ଥିଲା, ତିନି ରଥ ଟଣାଯାଇ ପାରିଲା ନାହିଁ ଠିକ୍ ସମୟରେ। କେବଳ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମହାପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ କିଛି ବାଟ ଆଗକୁ ନିଆଗଲା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ କେବଳ ଔପଚାରିକତା ରକ୍ଷା କରିବା ପାଇଁ ଟଣାଗଲା । ତାହା ପୁଣି ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ । ଅର୍ଥାତ ରଥଟଣାରେ ଯେଉଁ ବିଭ୍ରାଟ ଦେଖିବାକୁ ମିଳିଲା, ତାହା ମଧ୍ୟ ଅନେକଙ୍କୁ ଦୁଃଖିତ କରିଛି।
ଏହି ଯେଉଁ ସବୁ ଘଟଣା ଘଟିଲା, ତା’ ପାଇଁ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଯେଉଁମାନେ ଥିଲେ, ସେମାନେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ପାଖରେ ଉତ୍ତରଦାୟୀ ରହିବେ କି ନାହିଁ ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଗରେ ସେମାନେ କ୍ଷମା ପ୍ରାର୍ଥନା କରିବା ଦରକାର କି ନାହିଁ, ଆପଣମାନେ ଟିକେ ଭାବନ୍ତୁ। ତେବେ କିଏ ସବୁ ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିଲେ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଉଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ। ବିଗତ ରଥଯାତ୍ରା ସମୟରେ ମଧ୍ୟ ସେ ଦାୟିତ୍ୱରେ ଥିଲେ। ଏମିତି ନୀତିକାନ୍ତିରେ ବିଳମ୍ବ ହୋଇଥିଲା, ଏପରି ଏକ ଅଘଟଣ ଘଟିଥିଲା, ଯେଉଁଥିରେ ବହୁ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଥିଲା। ଏସବୁ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସେ ଏଥର ମଧ୍ୟ ନିଜ ତ୍ରୁଟି ସୁଧାରିଲେ କି?
ଚଳିତ ବର୍ଷ ରଥଯାତ୍ରାରେ ପୁଣି ଦେଖିବାକୁ ମିଳିଲା ସେହି ଦମ୍ଭ,ଅହଂକାର ଓ ଆତ୍ମ ବଡ଼ିମା ଭାବ ଯେ “ତ୍ରୁଟିଶୂନ୍ୟ” ରଥଯାତ୍ରା ସେ ହିଁ କେବଳ କରିପାରିବେ,ଏଥର କୌଣସି ତ୍ରୁଟି ବିଚ୍ୟୁତି ହେବ ନାହିଁ” ବୋଲି ବିଭିନ୍ନ ଗଣମାଧ୍ୟମ ସାମ୍ନାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯେଉଁ ପ୍ରକାର ଇଣ୍ଟରଭ୍ୟୁ ଦେଇ କହିଥିଲେ, ତାହାକୁ ଟିକେ ମନେ ପକାନ୍ତୁ। ମହାପ୍ରଭୁଙ୍କ ପାଖରେ ଏଭଳି ଅହଂଭାବ ବା ଆସ୍ପର୍ଦ୍ଧା ରଖିବା କାରଣରୁ ଏଥର ରଥଯାତ୍ରା “ତ୍ରୁଟିଶୂନ୍ୟ” ହୋଇପାରିଲା ନାହିଁ, ରଥଟଣା ମଧ୍ୟ ସମ୍ଭବ ହେଲାନାହିଁ, ପହଣ୍ଡିରେ ବିଳମ୍ବ ହେଲା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମୁଣ୍ଡରେ “ଟାହିଆ” ରହିଲା ନାହିଁ। ଏସବୁ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ପାଖରେ ଉତ୍ତରଦାୟୀ ହେବେ ନା ନାହିଁ ?
ବିଭାଗୀୟ ମନ୍ତ୍ରୀ ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକାଧିକ ବୈଠକ କରି ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ଓ ସେ ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ ଯେ “ତ୍ରୁଟିଶୂନ୍ୟ” ରଥଯାତ୍ରା ହେବ ବୋଲି। ସେ ମଧ୍ୟ ମହାପ୍ରଭୁଙ୍କ ଶ୍ରଦ୍ଧାଳୁଙ୍କ ପାଖରେ ଉତ୍ତର ରଖିବେ ନା ନାହିଁ ? ସର୍ବୋପରି ଆମ ବ୍ୟବସ୍ଥା ଏବଂ ସରକାରର ମୁଖ୍ୟ ଭାବରେ ନିଜେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗଦେଇ “ତ୍ରୁଟିଶୂନ୍ୟ” ରଥଯାତ୍ରା କରିବା ନେଇ ଯେଉଁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ବିଶ୍ୱାସ ତିଆରି କରିବାର ପ୍ରୟାସ କରିଥିଲେ ଓ ସେଥିରେ ବିଫଳ ହୋଇଥିବାରୁ ସେ ନିଜେ ଏଥିପାଇଁ ଉତ୍ତରଦାୟୀ ହେବାର ଆବଶ୍ୟକତା ଅଛି କି ନାହିଁ, ଆପଣମାନେ ଟିକେ ଭାବନ୍ତୁ ତ ?






