• About
  • Contact
Wednesday, November 18, 2026
Wednesday, November 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ରାଜନୈତିକ ମୈଦାନରେ କୋଟିଆ…

ରାଜନୈତିକ ମୈଦାନରେ କୋଟିଆ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ନଭେମ୍ବର, ୨୦୨୬

ଓଡ଼ିଶାର ଭୂଗୋଳ ଏବଂ ଇତିହାସର ପୃଷ୍ଠାଗୁଡ଼ିକରେ ଏମିତି କିଛି ସ୍ଥାନ ଅଛି , ଯାହା ସହିତ ପ୍ରତିଟି ଓଡ଼ିଆର ସ୍ୱାଭିମାନ,ରାଜ୍ୟର ଅସ୍ମିତା ଯୋଡି ହୋଇ ରହିଛି, ସେହିପରି ସ୍ଥାନଟିଏ ହେଉଛି “କୋଟିଆ” । କିନ୍ତୁ ଆଜି ଯେତେବେଳେ କୋଟିଆକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ଓ ଏହି ଝଡ଼ର ସୃଷ୍ଟିକର୍ତ୍ତା ହେଉଛି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ସେତେବେଳେ ପ୍ରଶ୍ନ ଉଠିବା ସ୍ୱାଭାବିକ “ବର୍ଷ ବର୍ଷ ଧରି କ୍ଷମତାର ଶୀର୍ଷରେ ରହିବା ପରେ, ଆଜି ହଠାତ୍ ବିରୋଧୀ ଦଳ ନେତା ନବୀନ ବାବୁଙ୍କୁ କୋଟିଆ କାହିଁକି ମନେ ପଡ଼ିଲା ?” ଏହି ପ୍ରଶ୍ନ କେବଳ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଦଳକୁ ନୁହେଁ, ବରଂ ଓଡ଼ିଶାର ସମଗ୍ର ରାଜନୈତିକ ବ୍ୟବସ୍ଥାକୁ ଏକ କାଠଗଡ଼ାରେ ଠିଆ କରାଇଛି ।

କୋଟିଆ… କୋରାପୁଟ ଜିଲ୍ଲାର ଏକ ଅତି ସମ୍ବେଦନଶୀଳ ପଞ୍ଚାୟତ। ଯେଉଁଠାରେ ପ୍ରକୃତି ନିଜର ଅପରୂପ ସୌନ୍ଦର୍ଯ୍ୟ ବାଣ୍ଟି ଦେଇଛି, ସେଠାରେ ଆଜି ଅଜଣା ଅନିଶ୍ଚିତତା ଏବଂ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଏକ ଗଭୀର କ୍ଷତ ସୃଷ୍ଟି କରିଛି । ବିଭିନ୍ନ ସମୟରେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ଉଠାଯାଏ, ଆଲୋଚନା ହୁଏ, କିନ୍ତୁ ଯେତେବେଳେ ସମାଧାନର ବେଳ ଆସେ, ସେତେବେଳେ ସମସ୍ତେ ନିଜର ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ ହୋଇପଡ଼ନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟ ଶାସକ ଥିବା ନବୀନ ପଟ୍ଟନାୟକ ଯେତେବେଳେ ସୋସିଆଲ ମିଡିଆରେ କୋଟିଆକୁ ନେଇ ପୋଷ୍ଟ କରନ୍ତି, ସେତେବେଳେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଆସେ—ଯେତେବେଳେ ତାଙ୍କ ହାତରେ କ୍ଷମତା ଥିଲା, ସେତେବେଳେ ସେ କାହିଁକି ଏହି ବିବାଦର ସ୍ଥାୟୀ ସମଧାନ କରିପାରିଲେ ନାହିଁ? କେବଳ ସୋସିଆଲ ମିଡିଆର କାଗଜ କଲମରେ କିମ୍ବା ଭର୍ଚୁଆଲ୍ ଉଦଘାଟନରେ ସୀମା ସୁରକ୍ଷା ହୋଇପାରିବ କି?

ଏହି ବିବାଦ ଆଜିର ନୁହେଁ । ଏହାର ଚେର ୧୯୫୫ ମସିହାରୁ ଆରମ୍ଭ ହୋଇ ୧୯୬୮ ମସିହାରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ‘ଷ୍ଟାଟସ୍ କୋ’ (ଯଥାସ୍ଥିତି) ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କେହି ମଧ୍ୟ ନିଜର ଲକ୍ଷ୍ମଣରେଖା ଅତିକ୍ରମ କରିବେ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲା । କିନ୍ତୁ ଦୁଃଖର କଥା, ତା’ପରେ ଆସିଥିବା ବିଭିନ୍ନ ସରକାର ଏହି ମାମଲାକୁ ଯେଉଁ ଭଳି ଗମ୍ଭୀରତାର ସହ ଗ୍ରହଣ କରିବା କଥା, ତାହା କରିନଥିଲେ ।

୨୦୦୬ ମସିହାରେ ସୁପ୍ରିମକୋର୍ଟରେ ଓଡ଼ିଶା ଦାଖଲ କରିଥିବା ଏକ ଆବେଦନ ଖାରଜ ହୋଇଯିବା ପରେ, ସରକାରୀ ସ୍ତରରେ ଯେଉଁ ତତ୍ପରତା ପ୍ରକାଶ ପାଇବା କଥା ତାହା ଅଭାବ ରହିଲା। ଏକ ‘ରିଭ୍ୟୁ ପିଟିସନ୍’ ବା ପୁନର୍ବିଚାର ଆବେଦନ ଦାଖଲ କରି ସରକାର ନିରବ ହୋଇଗଲେ । କୋଟିଆର ଅଧିବାସୀମାନେ ଯେତେବେଳେ ଓଡ଼ିଶା ସରକାରଙ୍କ ଠାରୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଲେ, ସେତେବେଳେ ଆନ୍ଧ୍ର ପ୍ରଦେଶ ସରକାର ସେଠାରେ ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଲା । ସ୍କୁଲ୍ ସ୍ଥାପନ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଆନ୍ଧ୍ରର ଦାଦଗିରି ବଢ଼ିଚାଲିଲା ।

୨୦୧୮-୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ଆନ୍ଧ୍ରର ଅନୁପ୍ରବେଶ ଚରମ ସୀମାରେ ପହଞ୍ଚିଲା, ସେତେବେଳେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । କୋଟିଆର ଉନ୍ନୟନ ପାଇଁ କୋଟି କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଗଲା । କିନ୍ତୁ ମାଟିର ବାସ୍ତବତା କିଛି ଅଲଗା ଥିଲା। କୋଟିଆର ଗ୍ରାଉଣ୍ଡ ଜିରୋକୁ ଯାଇ ଦେଖିଲେ ଜଣାପଡ଼େ ଯେ, ଘୋଷିତ ହୋଇଥିବା କୋଟି କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ କେବଳ କାଗଜକଲମରେ ସୀମିତ ଥିଲା କିମ୍ବା ତାର ସଠିକ୍ ହିସାବ ସାଧାରଣ ଜନତାଙ୍କ ପାଖରେ ନଥିଲା ।ସେତେବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଥିଲା ମନେ ରଖିବା ଭଳି । ସେ ବିଭିନ୍ନ ସମୟରେ କୋଟିଆକୁ ଯାଇ ଆନ୍ଧ୍ରର ଅଧିକାରୀମାନଙ୍କୁ ବିରୋଧ କରିଥିଲେ ଏବଂ “ନୋ ଆନ୍ଧ୍ର, ଓନ୍‌ଲି ଓଡ଼ିଶା”ର ନାରା ଦେଇ ସ୍ଥାନୀୟ ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଥିଲେ। କେବଳ ସେତିକି ନୁହେଁ, ବର୍ତ୍ତମାନର ବିଜେପି ସରକାରଙ୍କ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ କୋଟିଆ ଗସ୍ତ କରି ସେଠାକାର ଲୋକଙ୍କ ସୁଖଦୁଃଖ ସହ ସାମିଲ ହେବାକୁ ଚେଷ୍ଟା କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

କିନ୍ତୁ ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା—୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ନବୀନ ପଟ୍ଟନାୟକ କୋଟିଆ ମାଟିରେ ପାଦ ଦେଇପାରି ନଥିଲେ। ଭର୍ଚୁଆଲ ମାଧ୍ୟମରେ କିଛି ଯୋଜନାର ଉଦଘାଟନ କରି ନିଜର ଦାୟିତ୍ୱ ସାରିଦେଇଥିଲେ। ଆଜି ଯେତେବେଳେ ସେ କ୍ଷମତାରୁ ବାହାରେ, ସେତେବେଳେ କୋଟିଆ ତାଙ୍କୁ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଭାବେ ମନେ ପଡ଼ୁଛି। ଏହା କ’ଣ କେବଳ ଏକ ରାଜନୈତିକ କୌଶଳ ବ୍ୟତୀତ ଅନ୍ୟ କିଛି ହୋଇପାରେ କି ?

ଓଡ଼ିଶାରେ କେବଳ କୋଟିଆ ନୁହେଁ, ବରଂ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ସୀମାରେ ମଧ୍ୟ ଅନେକ ସ୍ଥାନରେ ଏହିପରି ସୀମା ବିବାଦ ରହିଛି । ୨୦୧୮ ଏବଂ ୨୦୨୩ର ବିଧାନସଭା ତଥ୍ୟ ଅନୁଯାୟୀ, ରାଜ୍ୟର ପ୍ରାୟ ୨୪ ରୁ ଅଧିକ ସ୍ଥାନରେ ଏଭଳି ସୀମାଗତ ବିବାଦ ରହିଛି । ଏହା ପ୍ରମାଣ କରେ ଯେ, କେବଳ ଗୋଟିଏ ସରକାର କିମ୍ବା ଗୋଟିଏ ଦଳ ନୁହେଁ, ବରଂ ସମଗ୍ର ରାଜନୈତିକ ବ୍ୟବସ୍ଥାକୁ ଏକ ଦୃଢ଼ ଏବଂ ସ୍ଥାୟୀ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।

କୋଟିଆର ବିବାଦ କୌଣସି ଦଳଗତ ରାଜନୀତିର ପ୍ରସଙ୍ଗ ହେବା ଆବଶ୍ୟକ ନାହିଁ; ଏହା ହେଉଛି ସମଗ୍ର ଓଡ଼ିଆ ଜାତିର ସ୍ୱାଭିମାନର ପ୍ରଶ୍ନ । ଯେଉଁ ପର୍ଯ୍ୟନ୍ତ ସରକାରୀ ଦଳ ଏବଂ ବିରୋଧୀ ଦଳମାନେ ପରସ୍ପରକୁ ଦୋଷଦେବା ବନ୍ଦ କରି ଏକମତ ହୋଇ ସୁପ୍ରିମକୋର୍ଟରେ ଦୃଢ଼ତାର ସହ ଆଇନଗତ ଲଢ଼େଇ ଜାରି ରଖିବେ ନାହିଁ, ସେତେବେଳେ ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ହେବା ସମ୍ଭବ ନୁହେଁ । ତେବେ ଓଡ଼ିଶା ବିଧାନସଭାର ଆରମ୍ଭ ହେବାକୁ ଥିବା ଆଗାମୀ ଅଧିବେଶନରେ ଜଣାପଡ଼ିବ ପ୍ରକୃତରେ ତିନୋଟି ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥିପାଇଁ ଆଗ୍ରହୀ ଅଛନ୍ତି କି ନାହିଁ?

କୋଟିଆର ପାହାଡ଼, ଝରଣା ଏବଂ ସେଠାକାର ସରଳ ଆଦିବାସୀ ଭାଇଭଉଣୀମାନେ ଆଜି ମଧ୍ୟ ଆଶାର ସହିତ ଚାହିଁ ରହିଛନ୍ତି—କେବେ ସେମାନେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାର ମୁଖ୍ୟ ଧାରାରେ ସାମିଲ ହେବେ ଓ ନିଜର ପରିଚୟ ପାଇବେ। ତେବେ ରାଜନୈତିକ ଦଳ ହେଉ ଅବା ରାଜନେତାମାନେ ନିଜର ଦଳୀୟ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ଯଦି କୋଟିଆର ବିକାଶ ଏବଂ ସୀମା ସୁରକ୍ଷା ପାଇଁ ଆନ୍ତରିକତାର ସହ କାମ ନକରନ୍ତି,ତେବେ ଇତିହାସ କେବେ ମଧ୍ୟ କାହାକୁ କ୍ଷମା କରିବ ନାହିଁ ।

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.