• About
  • Contact
Monday, May 25, 2026
Monday, May 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗଣତନ୍ତ୍ର ଶାସନରେ ଶିକ୍ଷିତ ନେତା ଓ ଜନତାଙ୍କ ଆବଶ୍ୟକତା ବଢ଼ୁଛି

ଗଣତନ୍ତ୍ର ଶାସନରେ ଶିକ୍ଷିତ ନେତା ଓ ଜନତାଙ୍କ ଆବଶ୍ୟକତା ବଢ଼ୁଛି
Share on FacebookShare on Xshare on Whatsappshare on Linkedin
ବିବେକାନନ୍ଦ ଦାସ, କଟକ, ୧୫ ଅଗଷ୍ଟ ୨୦୨୨

ଗଣତନ୍ତ୍ର ଶାସନରେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ଏବେ ଧୀରେ ଧୀରେ ଅନୁଭୂତ ହେବାକୁ ଲାଗିଲାଣି । ତାହା ନହେଲେ ଗଣତନ୍ତ୍ର ଶାସନ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବ । ଏଣୁ ଗଣତନ୍ତ୍ର ଶାସନରେ ସରକାରୀ କର୍ମଚାରୀଙ୍କ ପରି ରାଜନେତା ଓ ଭୋଟରମାନଙ୍କର ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକତାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି । ଯେଉଁମାନେ ଦେଶ ଚଳାଇବେ ସେମାନଙ୍କୁ ବାଛିବା ପାଇଁ ଭୋଟରମାନଙ୍କ ଉପରେ ଗୁରୁ ଦାୟିତ୍ୱ ଥାଏ । ଯଦି ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀକୁ ଚୟନ ନ କରନ୍ତି ତେବେ ଶାସନ ବ୍ୟବସ୍ଥା ଭୁଷୁଡି ପଡିବା ଅବଶ୍ୟମ୍ଭାବୀ । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଭାରତର ସମ୍ବିଧାନ ସଂସଦୀୟ ଗଣତନ୍ତ୍ରକୁ ଆପଣେଇବା ସହିତ ସାବାଳକ ଭୋଟ ପ୍ରଥା ଜରିଆରେ ବହୁମତ ଆଧାରରେ ସରକାର ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆମ ଦେଶରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯେତେଗୁଡିଏ ରାଜନୈତିକ ଦଳ ଥିଲା ତାହା ବର୍ତ୍ତମାନ ବଢିବାରେ ଲାଗିଛି । ଭାରତ ବର୍ଷରେ ୨୮୫୮ ଟି ପଞ୍ଜିକୃତ ରାଜନୈତିକ ଦଳ ଅଛନ୍ତି । ୮ ଟି ଜାତୀୟ ଦଳ ଓ ୫୪ ଟି ଆଞ୍ଚଳିକ ଦଳ, ୨୭୯୬ ଟି ଅଣପଞ୍ଜିକୃତ ଦଳ ରହିଛି । ରାଜନୈତିକ ଦଳ ଗୁଡିକର ସଂଖ୍ୟା ଦିନକୁ ଦିନ ବଢିବା ଫଳରେ ତାହା ଗଣତନ୍ତ୍ର ଶାସନ ପାଇଁ ଶୁଭ ସୂଚନା ନୁହେଁ । ୬୦ ବର୍ଷ ମଧ୍ୟରେ ଦେଶରେ ୨୭୫୧ ଟି ରାଜନୈତିକ ଦଳ ଲୋକସଭା ଓ ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି । ୧୯୪୭ ମସିହାରେ ଭାରତ ସ୍ୱାଧୀନତା ଲାଭ କଲା । ଭାରତର ଅଧିକାଂଶ ନାଗରିକଙ୍କ ରାଜନୀତି ସଂପର୍କରେ ସେ ସମୟରେ ସେମାନଙ୍କର ଜ୍ଞାନ ନଥିଲା । କାରଣ ଅଧିକାଂଶ ଭୋଟର ଥିଲେ ନିରକ୍ଷର । ଯାହାଫଳରେ ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ସେମାନେ ଜାଣିବେ କିପରି? ଗଣତନ୍ତ୍ର କ’ଣ ସେମାନେ ଜାଣି ନଥିଲେ ।

ଏହି ସୁଯୋଗ ନେଇ କେତେକ ରାଜନୈତିକ ଦଳ ଏହାର ଫାଇଦା ଉଠାଇଥିଲେ । ବର୍ତ୍ତମାନ ଦେଖାଯାଇଛି ନିରକ୍ଷର ଓ ଲାଞ୍ଚୁଆ ଭୋଟରଙ୍କ ପାଇଁ ଏପରିକି ନୋଟ୍ ବଦଳରେ ଭୋଟ୍‌, ଭୋଟ୍ ଆରମ୍ଭ ପୂର୍ବରୁ ଭୋଜିଭାତ ଓ ମାଂସ ତରକାରୀ ସହିତ ମଦ । ଶେଷ ପର୍ଯ୍ୟାୟରେ ନେତା ଓ କର୍ମୀଙ୍କ ଅନ୍ଧାରୀ ବିଜେ । ଟଙ୍କା ସହିତ ଉପହାର ପ୍ରଦାନ । ଯାହାକି ଗଣତନ୍ତ୍ରର ଏକ ସୁସ୍ଥ ବାତାବରଣକୁ କଳୁଷିତ କରିଦେଇଛନ୍ତି । ଭୋଟର ଯଦି ଲାଞ୍ଚୁଆ ହେବେ ଗଣତନ୍ତ୍ରର ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ନାହିଁ । ଉପକୂଳ ଓଡିଶାରେ ସରପଞ୍ଚ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହାଦ୍ୱାରା ସମଗ୍ର ଭୋଟ ବ୍ୟବସ୍ଥା କଳଙ୍କିତ ହେଉଛି । ଜ୍ଞାନୀ, ଗୁଣୀ ଓ ବିଦ୍ୱାନମାନେ ଏହି କାରଣରୁ ନିର୍ବାଚନ ପ୍ରକିୟାରେ ଅଂଶ ଗ୍ରହଣ କରୁନାହାଁନ୍ତି । ଯାହାଫଳରେ ରାଜନୀତି ମଧ୍ୟକୁ ଦୁର୍ନୀତିଗ୍ରସ୍ତ, ଅପରାଧୀ, ଗୁଣ୍ଡା, ଅଧାପାଠୁଆ, ମାଫିଆମାନଙ୍କର ଅବାଧ ପ୍ରବେଶ ହେଉଛି । ପବିତ୍ର ଗୃହ ଦିନକୁ ଦିନ ଅପବିତ୍ର ହେବାକୁ ଲାଗୁଛି ।

ଯେଉଁମାନେ ଦେଶର ସର୍ବମୟ କର୍ତ୍ତା ପାଲଟି ଯାଉଛନ୍ତି ସେହିମାନେ ହିଁ ଜନସାଧାରଣଙ୍କ ପାଇଁ ନୀତି ନିର୍ଦ୍ଧାରଣ କରୁଛନ୍ତି ଏଥିପାଇଁ ଦାୟୀ କିଏ? ଭୋଟରମାନେ ହିଁ ଦାୟୀ, ଗଣତନ୍ତ୍ରରେ ସଚେତନଶୀଳ ଭୋଟରମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । କିନ୍ତୁ ଭାରତରେ ଦଳୀୟ ପ୍ରୀତି, ନିରକ୍ଷର ଭୋଟରମାନେ ହିଁ ଶାସନକ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ଯାହା ସୁସ୍ଥ ଗଣତନ୍ତ୍ରର ବିରୋଧ ଅଟେ । ଦେଖାଯାଉଛି ଯଦି ଜଣେ ବସ୍ ଚାଳକ ଚାରିଚକିଆ ଯାନ ଓ ଦୁଇ ଚକିଆ ଯାନ ଚଳାଇବା ପାଇଁ ଏକ ପ୍ରଶିକ୍ଷଣ ପ୍ରମାଣପତ୍ର ବ୍ୟବସ୍ଥା ରହିଛି । ଚାଳକମାନେ ଉପଯୁକ୍ତ ତାଲିମ ପାଇବା ପରେ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରାପ୍ତ ହେଲେ ତେବେ ଯାଇ ଗାଡି ଚଳାଇ ପାରିବେ । ବସ୍ ଚାଳକଙ୍କ ଉପରେ ଯାତ୍ରୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛି । ସେହିଭଳି ରେଳଗାଡି, ଉଡାଜାହାଜ, ପାଣି ଜାହାଜ ଚଳାଉଥିବା ବ୍ୟକ୍ତି ଜଣେ ଦକ୍ଷ ଓ ସ୍ୱୀକୃତୀପ୍ରାପ୍ତ ଅଟନ୍ତି । ସେହିପରି ଯେଉଁମାନେ ଦେଶ ଚଳାଇବେ ସେମାନଙ୍କୁ ଯେଉଁମାନେ ଭୋଟ ଦେଇ ନିର୍ବାଚିତ କରୁଛନ୍ତି ସେମାନଙ୍କ ପାଇଁ ଏକ ଯୋଗ୍ୟତାର ମାପକାଠି ରହିବା ଉପରେ ବର୍ତ୍ତମାନ ଦାବି ଉଠିଲାଣି । ଦେଶରେ ସମସ୍ତେ ନାଗରିକ ହୋଇ ପାରିବେ କିନ୍ତୁ ଦେଶ ଚଳାଇବା ପାଇଁ ଜନପ୍ରତିନିଧିଙ୍କୁ ନିର୍ବାଚିତ କରିବା ସମୟରେଁ ସମସ୍ତଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଯିବା ଉପରେ ସରକାର ସମ୍ବିଧାନ ସଂଶୋଧନ କରି ଏକ ନିର୍ଦ୍ଧିଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ଏବେଠାରୁ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି । କାରଣ ଭୋଟରଙ୍କ ଭୋଟ ଉପରେ ଦେଶର ଭାଗ୍ୟ ୫ ବର୍ଷ ପାଇଁ ନିର୍ଭର କରୁଛି ।

ସରକାରୀ ଚାକିରୀ କରିବାକୁ ବୟସ, ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା ଓ ପ୍ରଶିକ୍ଷଣ ପ୍ରମାଣପତ୍ର ଯେପରି ଦରକାର ରାଜନେତାଙ୍କ ପ୍ରତି ବି ଉକ୍ତ ନିୟମ ଲାଗୁ ହେବା ଉଚିତ୍ । କେତେକ ପ୍ରଶ୍ନ କରନ୍ତି ରାଜନେତା କ’ଣ ସରକାରୀ ଚାକିରିଆ? ସେମାନେ ହେଲେ ସମାଜସେବୀ । ସମାଜର ସେବା କରିବା ପାଇଁ କୌଣସି ମାପ ଦଣ୍ଡର ଆବଶ୍ୟକତା ନଥାଏ । ତାହା ହେଲେ ସରକାରୀ ଚାକିରିଆଙ୍କ ପରି ନିର୍ବାଚିତ ରାଜନେତା ରାଜକୋଷରୁ ପ୍ରତି ମାସରେ ଦରମା ନେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଭ କରିବା ଏପରିକି ଅବସରକାଳୀନ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି କାହିଁକି? ଏହି ଦୃଷ୍ଟିରୁ ସେମାନଙ୍କ ପ୍ରତି ସରକାରୀ ଚାକିରିଆଙ୍କ ଭଳି ଯୋଗ୍ୟତା ଓ ବୟସର ମାନଦଣ୍ଡର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । କାରଣ ସେହିମାନେ ହିଁ ସମଗ୍ର ଦେଶ ଓ ଶାସନ ବ୍ୟବସ୍ଥାକୁ ପରିଚାଳନା କରୁଛନ୍ତି । ଏବେ ଦେଶରେ ଶିକ୍ଷାର ପ୍ରସାର ଘଟିଲାଣି । ଶିକ୍ଷିତ ଗୋଷ୍ଠୀଙ୍କ ସଂଖ୍ୟା ବଢିଲାଣି । ହେଲେ କିଛି ଲାଭ ନାହିଁ । ଲାଞ୍ଚ ଓ ଦୁର୍ନୀତିକୁ କୌଣସି ଭୋଟର ବିରୋଧ କରୁନାହାଁନ୍ତି । ପରୋକ୍ଷରେ ନୀରବ ସ୍ୱାଗତ କରୁଛନ୍ତି । ଫଳରେ ନେତା ସ୍ୱଚ୍ଛ ହେବେ କିପରି । ଶାସନ ଦୁର୍ନୀତିମୁକ୍ତ ହେବ କିପରି । ସମ୍ବିଧାନରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବାର ଅଧିକାର ମିଳିଛି । ବ୍ୟକ୍ତି ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦେଇ ନିର୍ବାଚିତ କରିବ । ଭୋଟ ଦେବାର ଅଧିକାରର ଦୁରୁପଯୋଗ ନହେଉ । ଫଳରେ ଦକ୍ଷ ରାଜନେତାମାନଙ୍କର ରାଜନୀତିରେ ପ୍ରବେଶ ଉପରେ ଅନେକ ସମୟରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ସୁସ୍ଥ ଗଣତନ୍ତ୍ର ପାଇଁ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା କେତେ ଯୁକ୍ତିଯୁକ୍ତ । ସବୁ ଦୃଷ୍ଟିରୁ ଚିନ୍ତା କଲେ ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରଚଳିତ ଶାସନ ବ୍ୟବସ୍ଥାର କେତେକ ଧାରାକୁ ପରିବର୍ତ୍ତନ କରାଯିବା ଉପରେ ଆବଶ୍ୟକତା ଦେଖାଦେଇଛି । ତାହା ନହେଲେ ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର ନିଜର ସତ୍ତା ହରାଇବା ସହିତ ଦଳୀୟ ଏକଛତ୍ରବାଦ ଶାସନରେ ପରିଣତ ହେବା ପାଇଁ ବେଶିଦିନ ଲାଗିବ ନାହିଁ ।

ବିବେକାନନ୍ଦ ଦାସ

ବିବେକାନନ୍ଦ ଦାସ

ବିଶିଷ୍ଟ ସାହିତ୍ୟିକ, ଓଡିଶା

Related Posts

ହେ ସନ୍ୟାସୀ ତୁମେ ଫେରିଆସ …
Politics

ହେ ସନ୍ୟାସୀ ତୁମେ ଫେରିଆସ …

by Nirvik Bureau
May 20, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୦ ମଇ ୨୦୨୬ ବେଶ କିଛି ଦିନ ପରେ ରାଜ୍ୟର ପ୍ରମୁଖ ବିରୋଧୀଦଳ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ରାଜନୀତି ପୁଣି ଏବେ...

Read more
ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

May 13, 2026
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.