• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅବୁଝା ରାଜନୀତି : ଜୟରାମଙ୍କ ଠାରୁ ଜୟନାରାୟଣ…..

ଅବୁଝା ରାଜନୀତି : ଜୟରାମଙ୍କ ଠାରୁ ଜୟନାରାୟଣ…..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୧ ସେପ୍ଟେମ୍ବର ୨୦୨୨

ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିବା ବେଳେ କହିଲେ, “ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉଭୟଙ୍କ ଭିତରେ ସମ୍ପର୍କ ବେଶ୍ ନିବିଡ଼” । ଜୟରାମ ଙ୍କ ଏହି କଥା ପଦକ ଟିଭି ଓ ଖବରକାଗଜରେ ହେଡ଼ଲାଇନ୍ ହୋଇଗଲା । କଂଗ୍ରେସ ର ନେତାମାନେ ବି ଖୁସିରେ ଗଦ୍ ଗଦ୍ ହୋଇଗଲେ । ମାତ୍ର ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ର ନେତାମାନେ କେହି ବି ଜୟରାମଙ୍କୁ ପଚାରିଲେନି, ଏକଥା ଆଗରୁ କାହିଁକି କଂଗ୍ରେସ ର କେନ୍ଦ୍ରୀୟ ନେତାମାନେ କହୁନଥିଲେ ? ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିବା ଅନେକ କେନ୍ଦ୍ରମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରି ଫେରି ଯାଆନ୍ତି । ଅନେକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ସରକାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ତତ୍କାଳୀନ ଉପା ସରକାର । ଓଡ଼ିଶାରେ ହୋଇଥିବା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ଜଣେ ବି କେହି କଂଗ୍ରେସ ନେତା ଓଡ଼ିଶାର ବିଜେଡି ସରକାର ବିରୋଧରେ ପାଟି ଖୋଲନ୍ତି ନାହିଁ । ମାତ୍ର ଓଡ଼ିଶା କଂଗ୍ରସର ଅବୁଝା ନେତା ଓ କର୍ମୀ ମାନେ ବେଳେ ବେଳେ ନିଜର ଅସ୍ତିତ୍ଵକୁ ବଂଚାଇବାକୁ ଯାଇ ରାଜ୍ୟ ସରକାରଙ୍କୁ ଟିକେ ହାଲକା ସମାଲୋଚନା କରିଦିଅନ୍ତି । ଖଣି, ପାଣି, ଜମି, ଚିଟ୍ ଫଣ୍ଡ ଆଦି ଦୁର୍ନୀତି ନେଇ କେନ୍ଦ୍ରର କଂଗ୍ରେସ ନେତୃବୃନ୍ଦ କେବେବି ଓଡ଼ିଶା ସରକାରଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିନାହାନ୍ତି କିମ୍ବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିନାହାନ୍ତି । କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିଲାବେଳେ ବିଜେଡି ବିରୋଧରେ କଂଗ୍ରେସ ର ଆଭିମୁଖ୍ୟ ଅସ୍ପଷ୍ଟ ରହିଥିଲା । ଏଣୁ ଏବେ ଜୟରାମ ରମେଶ ଙ୍କ ବୟାନ କୁ ଓଡ଼ିଶାବାସୀ କେଉଁ ନଜରରେ ଦେଖିବେ ? କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବର ବିଜେଡି ପ୍ରତି ବର୍ତ୍ତମାନର ଆଭିମୁଖ୍ୟକୁ ଲୋକେ ବିଶ୍ୱାସ କରିବେ କିପରି ? ଆଗରୁ ରାଜ୍ୟ କଂଗ୍ରେସ ନେତାମାନେ କେନ୍ଦ୍ରୀୟ ନେତୃବୃନ୍ଦ ଓଡ଼ିଶା ସରକାର ପ୍ରତି କଠୋର ମନୋଭାବ ପୋଷଣ କରୁବୋଲି ଇଚ୍ଛା ପ୍ରକାଶ କରୁଥିଲେ ଓ କେନ୍ଦ୍ରୀୟ ନେତା ତାହା କରୁନଥିଲେ, ଆଉ ଏବେ କେନ୍ଦ୍ରୀୟ ନେତାଙ୍କର ଏଭଳି ଟିପ୍ପଣୀ ରାଜ୍ୟ କଂଗ୍ରେସ କୁ ଫାଇଦା ଦେବ କି ?

ଠିକ୍ ସେହିପରି ରାଜ୍ୟ ବିଜେପି ର ବିରୋଧୀଦଳ ନେତା ପଦ ପାଇବାପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାର ବିରୋଧରେ ସିବିଆଇ, ଇଡି ତଦନ୍ତ ଆବଶ୍ୟକ କଥା କହୁଛନ୍ତି । ରାଜ୍ୟରେ ଅନେକ ଦୁର୍ନୀତି ନେଇ ଓଡ଼ିଶାର ବିଜେପି ନେତାମାନେ ତମ୍ବିତୋଫାନ କରିଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିରବଦ୍ରଷ୍ଟା ସାଜିଛି । ଚିଟ୍ ଫଣ୍ଡ ଦୁର୍ନୀତି ତଦନ୍ତ ସରୁନାହିଁ, ଖଣି, ପାଣି, ଜମି ଦୁର୍ନୀତି ନେଇ କେନ୍ଦ୍ରୀୟ ବିଜେପି ନେତାମାନେ ମଧ୍ୟ ଜୋର୍ କରି ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ କରିବାରୁ ଦୂରେଇ ରହିଛନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକରେ ସିବିଆଇ ଓ ଇଡି ର ଅବାଧ ପ୍ରବେଶ ଥିବାବେଳେ ଓଡ଼ିଶାରେ ଏମାନଙ୍କ ଗତି ଶିଥିଳ କାହିଁକି ତାହା ରାଜ୍ୟ ବିଜେପି ନେତାମାନଙ୍କୁ ଭଲଭାବେ ଜଣାଅଛି ।

ଅନେକ ସମୟରେ ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ୍ କହିଛନ୍ତି ଯେ, ଓଡ଼ିଶାରେ ସିବିଆଇ ତଦନ୍ତ ଠିକ୍ ଚାଲିନାହିଁ, ଏବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହୁଛନ୍ତି ଓଡ଼ିଶାକୁ ସିବିଆଇ ପଶିବ, ପୁଣି ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ଭାବେ ମଧ୍ୟ ସେଇ ପୁରୁଣା ପାଠର ଆଲୋଚନା କରୁଛନ୍ତି । ୨୦୧୪ ପରଠାରୁ ଯଦି ଦେଖାଯାଏ, ଉପା ସରକାର ଠାରୁ ଅଧିକ ପ୍ରଶଂସା ବିଜେଡି ସରକାରକୁ ମିଳିଛି ଏନଡିଏ ସରକାର ଅମଳରେ । ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟ କାରିତା ନେଇ ଏନଡିଏ ସରକାରର ସାର୍ଟିଫିକେଟ ପାଇଛନ୍ତି ଓଡ଼ିଶା ସରକାର । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ମଧ୍ୟ ଓଡ଼ିଶା ସରକାରଙ୍କୁ ବାରମ୍ବାର ପ୍ରଶଂସା କରିବା ସହ କହିଛନ୍ତି ଯେ, ଓଡ଼ିଶା ସରକାର ଓ ବିଜେଡି ଭଳି ଦଳ ଠାରୁ ଅନ୍ୟ ବିରୋଧୀ ଦଳମାନେ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ କିଭଳି ଦିଆଯିବ ତାହା ଶିଖନ୍ତୁ ବୋଲି । ଏହା ଜାଣିବା ପରେ ଜୁଏଲ ଓରାମ୍, ବିଶ୍ୱେଶ୍ୱର ଟୁଡୁ ଓ ଜୟନାରାୟଣ ମିଶ୍ରଙ୍କ ଭଳି ନେତାମାନଙ୍କର ଏହି ବୟାନର ମୂଲ୍ୟ କ’ଣ ? ଅନ୍ୟ ପକ୍ଷରେ ଓଡ଼ିଶାର ପ୍ରଭାବଶାଳୀ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଅବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଦି କେବେବି ସିବିଆଇ ଓ ଇଡି ଓଡ଼ିଶାରେ ପଶିବ ବୋଲି ଧମକ ଦେଉନାହାଁନ୍ତି କାହିଁକି ? ଓଡ଼ିଶାରେ ଏକାଧିକ ଦୁର୍ନୀତି ନେଇ ଅଭିଯୋଗ ହେବାପରେ ମଧ୍ୟ ସିବିଆଇ ଓ ଇଡିର ଗତି କାହିଁକି ଶିଥିଳ ହୋଇପଡ଼ିଛି ତାହା ଓଡ଼ିଶାର ବିଜେପି ନେତାମାନଙ୍କୁ ଭଲଭାବରେ ଜଣା ଅଛି । ଓଡ଼ିଶା ସରକାର ଓ ବିଜେଡି ପ୍ରତି ବିଜେପିର କେନ୍ଦ୍ରୀୟ ନେତାଙ୍କ ଦୁର୍ବଳତା ଠିକ୍ ଉପା ସରକାର ସମୟରେ କଂଗ୍ରେସର ଶୀର୍ଷ ନେତୃତ୍ବର ଆଭିମୁଖ୍ୟ ଭଳି ସମାନ ରହିଛି । ଓଡ଼ିଶାର ଜନସାଧାରଣ ଏକଥା ବୁଝି ଗଲେଣି ଯେ, କଂଗ୍ରେସ ଓ ବିଜେପି ଭଳି ଜାତୀୟ ରାଜନୈତିକ ଦଳ କ୍ଷମତାରେ ରହିବାପାଇଁ ଯାହା ଆବଶ୍ୟକ ତାହା କରନ୍ତି ଓ ଓଡ଼ିଆ ଭୋଟରଙ୍କୁ ବୋକା ବନାଇବା ପାଇଁ ଯାହା ଦରକାର ତାହା କୁହନ୍ତି । ତେବେ ଜୟରାମ ହୁଅନ୍ତୁ ଅବା ଜୟ ନାରାୟଣ ସେମାନଙ୍କ ବିବୃତିର ମୂଲ୍ୟ କ’ଣ ସେମାନେ ତାହା ଭଲଭାବେ ବୁଝିଛନ୍ତି । କେବଳ ଗଣମାଧ୍ୟମ ପାଇଁ ଏହି ବିବୃତି ଖବରଟିଏ କରିବାରେ ସହାୟକ ହୁଏ ଓ ରାଜ୍ୟର ଅଗଣିତ କର୍ମୀଙ୍କୁ ସାମୟିକ ଆଶ୍ୱାସନା ଦିଏ । ଯେଉଁମାନେ ଓଡ଼ିଶାର ରାଜନୀତିକୁ ଗତ ଦୁଇ ଦଶନ୍ଧି ଧରି ଦେଖିଆସୁଛନ୍ତି ସେମାନେ ଏହି ନେତାମାନଙ୍କ ବିବୃତିକୁ ଗୁରୁତ୍ୱ ଦେବା ଉଚିତ୍ ହେବ କି ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.