ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୮ ସେପ୍ଟେମ୍ବର ୨୦୨୨
୨୦୨୪ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୈତିକ ଯାତ୍ରା । ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର କୁ କ୍ଷମତା ରୁ ହଟାଇବା ପାଇଁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ କରିଛି “ଭାରତ ଯୋଡ଼ ଯାତ୍ରା ” । ସଂଯୋଗ ବଶତଃ ଭାରତ ଛାଡ଼ ଆନ୍ଦୋଳନକୁ ୮୦ ବର୍ଷ ପୂରିଛି । ୧୯୪୨ ଅଗଷ୍ଟ ୮ ତାରିଖରେ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ଇଂରେଜ ମାନଙ୍କୁ ବିଦା କରିବାପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଥିଲା “ଭାରତ ଛାଡ଼ ଆନ୍ଦୋଳନ ” । ଆଉ ଏବେ ଭାରତ ଯୋଡ଼ ଯାତ୍ରାର ନେତୃତ୍ୱ ନେଇଛନ୍ତି ରାହୁଲ ଗାନ୍ଧୀ । ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ । କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀରରେ ଶେଷ ହେବଏହି ଯାତ୍ରା । ୫ ମାସରୁ ଅଧିକ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବେ କଂଗ୍ରେସର ନେତୃବୃନ୍ଦ । ଏହି ପଦଯାତ୍ରାରେ କଂଗ୍ରେସ ଲୋକ ସମ୍ପର୍କ ସ୍ଥାପନ କରିବ, ଦଳୀୟ ନେତାଙ୍କୁ ଏକାଠି କରିବ ଏବଂ ସ୍ଥାନୀୟ ଲୋକଙ୍କଠାରୁ ସେହି ଅଂଚଳର ସମସ୍ୟା ଶୁଣିବେ କଂଗ୍ରେସର ନେତା ମାନେ । ପାଖାପାଖି ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ସବୁଠାରୁ ବଡ଼କଥା ହେଉଛି ଗତ ୮ ବର୍ଷର ପ୍ରମୁଖ ସମସ୍ୟା ପାଲଟିଥିବା ବେରୋଜଗାରୀ ଓ ଦରଦାମ ବୃଦ୍ଧି ହିଁ ହେବ କେନ୍ଦ୍ରର ବିଜେପି ସରକାର ବିରୋଧରେ ପ୍ରମୁଖ ପ୍ରସଙ୍ଗ ।
ସେହିପରି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଭଳି ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ଆରମ୍ଭ କରିଛି ଆଉ ଏକ ରାଜନୈତିକ ଯାତ୍ରା । ଯାହାର ନାଁ ରହିଛି “Make India-No-1” ଯାତ୍ରା । ଏହି ଯାତ୍ରା ହରିୟାନାରୁ ଆରମ୍ଭ କରିଛନ୍ତି ଆପ୍ ର ମୁଖ୍ୟ ତଥା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୨୦୨୩ ରେ ନିର୍ବାଚନ ହେବାକୁ ଥିବା ୭ଟି ରାଜ୍ୟ ଓ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆପ୍ ର ଏହି ଯାତ୍ରାର ପରିକଳ୍ପନା କରାଯାଇଛି । ଏହି ଯାତ୍ରାରେ ଫୋକସ ରହିବ ଗୁଜୁରାଟ ଓ ହିମାଚଳ ପ୍ରଦେଶ ର ନିର୍ବାଚନ ଉପରେ । ଏହି ଯାତ୍ରାରେ କେଜ୍ରିୱାଲ ଯୁବ ବର୍ଗଙ୍କୁ ଭେଟିବେ, ସେମାନଙ୍କ ସମସ୍ୟା ଶୁଣିବେ, ସେମାନଙ୍କ ସହ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜନ କରିବ ଦଳ । ବିଜେପି ର ହର୍ ଘର୍ ତ୍ରିରଙ୍ଗା ସ୍ଲୋଗାନ୍ କୁ କାଉଣ୍ଟର କରିବା ସହ କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ସମାନ୍ତରାଳ ଆୟୋଜନ କରି ଆପ୍ ନିଜକୁ ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିବ ଏହି ଯାତ୍ରା ମାଧ୍ୟମରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସିଧା ଲଢ଼େଇରେ ଅବତୀର୍ଣ୍ଣ ହେବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।
ବିହାରରେ ବିଜେପି କୁ ଧକ୍କା ଦେଇ ସରକାରରୁ ବିଦା କରିବା ପରେ ଦେଶ ବ୍ୟାପୀ ଏକା ଏକା ଯାତ୍ରା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର । ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ, ସୀତାରାମ ୟେଚୁରୀ, ଡି ରାଜା, କେ. ଚନ୍ଦ୍ରଶେଖର ରାଓ, ଶରତ ପାୱାର, ଉଦ୍ଧବ ଠାକ୍ରେ, ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ, ଏଚ.ଡି. ଦେବଗୌଡ଼ା ଓ ତାଙ୍କ ପୁଅ କୁମାରସ୍ୱାମୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ହାସଲ ପାଇଁ ଚେଷ୍ଟା କରିବେ ନୀତିଶ୍ । ସମସ୍ତ ପୁରୁଣା “ଜନତା ପରିବାର” ନେତାଙ୍କୁ ଭେଟିବା ସହ ବିଜେପି ବିରୋଧରେ ଏକ ବୃହତ୍ ତଥା ଶକ୍ତିଶାଳୀ ମେଣ୍ଟ ଗଠନ କରିବା ହେଉଛି ନୀତିଶ୍ ଙ୍କର ଲକ୍ଷ୍ୟ ।
ଏପରିକି ଦରକାର ପଡିଲେ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଭେଟିବା ପାଇଁ ନୀତିଶ୍ କୁମାର ସେହି ରାଜ୍ୟ ଗୁଡିକୁ ପର୍ଯ୍ୟାୟ କ୍ରମେ ଗସ୍ତ କରିବେ ।
ଏସବୁ ଯାତ୍ରାର ଉଦ୍ଦେଶ୍ୟକୁ ଯଦି ବୁଝିବାକୁ ଚେଷ୍ଟାକରାଯାଏ ତେବେ ଏହା ସ୍ପଷ୍ଟ ଯେ, ସମସ୍ତ ଯାତ୍ରା ବିଜେପି ସରକାର ଓ ଏହାର ଜନବିରୋଧୀ ନୀତି ବିରୋଧରେ । ରାହୁଲ ହୁଅନ୍ତୁ କି କେଜ୍ରିୱାଲ ଅବା ନୀତିଶ୍ ସମସ୍ତଙ୍କର ଲକ୍ଷ୍ୟ ଗୋଟିଏ ହୋଇଥିଲେ ମଧ୍ୟ ଲୋକଙ୍କ ଭିତରେ ଏମାନେ ଦେଶର ପ୍ରମୁଖ ପ୍ରସଙ୍ଗକୁ କିପରି ପହଞ୍ଚାଇ ପାରୁଛନ୍ତି ତାହାଉପରେ ରହିବ ସମସ୍ତଙ୍କର ନଜର । ଆସୁଥିବା ରାଜ୍ୟ ଗୁଡ଼ିକର ନିର୍ବାଚନ ଏହି ଯାତ୍ରା ଦ୍ୱାରା ପ୍ରଭାବିତ ହେବକି ? ବିଶେଷ କରି ଲମ୍ବା ସମୟ ଧରି ଗୁଜୁରାଟରେ କ୍ଷମତା ଜାବୁଡ଼ି ଧରିଥିବା ବିଜେପି ଉପରେ ଏହାର ପ୍ରଭାବ କିପରି ରହିବ ? ପ୍ରଧାନ ମନ୍ତ୍ରୀ ମୋଦିଙ୍କର ବିକଳ୍ପ ଭାବେ ଏହି ୩ ନେତା ନିଜକୁ ଉପସ୍ଥାପିତ କରିପାରିବେ କି ? ଯାତ୍ରାରୁ ହୁଏତ ଏହି ପ୍ରଶ୍ନର ଉତ୍ତର ନମିଳିପାରେ ମାତ୍ର ଆସୁଥିବା ରାଜ୍ୟର ନିର୍ବାଚନ ଓ ଆସନ୍ତା ସାଧାରଣ ନିର୍ବାଚନ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେବ ।